ସନ୍ଧ୍ଯା
ସନ୍ଧ୍ଯା
ରଜନୀ ପୂର୍ବରୁ ଦିବସର ଅନ୍ତେ
ସନ୍ଧ୍ଯା ହୁଅଇ ଆଗତ
ସାରା ବଗିଚାକୁ ଫୁଲତୋଡ଼ା କରି
ଧରଣୀ କରେ ସ୍ବାଗତ ।
ଆକାଶ ଚାନ୍ଦୁଆ ବକ୍ଷରେ ରହିଛି
ଚାନ୍ଦ ତାରକାର ମେଳ
ପଶ୍ଚିମ ଆକାଶେ ସ୍ବର୍ଣ ପ୍ରଭା ଦେଇ
ତପନ ସାରଇ ଖେଳ ।
ଗ୍ରୀଷମ ଉତ୍ତାପ ବଢ଼ିଯିବା ଦେଖି
ସମୀର ଆସିଲା ଧାଇଁ
ତମସା ବିଛାଏ ସୁକୋମଳ ଶେଯ
ସନ୍ଧ୍ଯାର ଶୟନ ପାଇଁ ।
ମେଘ ଦେଲେ ବାରି ସ୍ନାନ କରି ସନ୍ଧ୍ଯା
ପିନ୍ଧେ କଳା ପାଟ ଶାଢ଼ୀ
ଅନ୍ଧାର ଆସିଲେ ବିଳମ୍ବ ନ କରି
ସମସ୍ତଙ୍କୁ ଯାଏ ଛାଡ଼ି ।
ସେନେହେ ଶରତ ସନ୍ଧ୍ଯାକୁ କୁହଇ
ଭଲ ପାଉଅଛି କେତେ
ସାଥୀ ହୋଇ ଆମେ ରହିଥିବା ସତେ
ଛାଡ଼ିଯିବୁ ନାହିଁ ମୋତେ ।
ହେମନ୍ତ ଭାବଇ ଶରତ ସନ୍ଧ୍ଯାକୁ
ନ ଛାଡ଼ଇ କାହିଁପାଇଁ
ବିଳମ୍ବ ତାହାକୁ ଯନ୍ତ୍ରଣା ଦେଲାଣି
ସେ ନିଜେ ଯିବକି ଧାଇଁ ।
ଆସ ସନ୍ଧ୍ଯା ଆଉ ଅଟକି ଯାଅନା
ହେଲାଣି ବହୁତ ଡେରି
ତମରି ପଥକୁ ପ୍ରତୀକ୍ଷା କରିଛି
ନେଇଯିବି ହାତ ଧରି ।
ଶୀତ ଋତୁ ଆସି ପହଞ୍ଚିବା କ୍ଷଣି
ସନ୍ଧ୍ଯା ଲାଜ କରୁଥିଲା
ଲାଜ ମୁହଁ ଦେଖି ରୂପେଲି କୁହୁଡ଼ି
ଦେହ ତା ଲୁଚାଇ ଦେଲା ।
ଏହିତ ବସନ୍ତ ଋତୁ ରାଜ ଦେଖି
ଇର୍ଷାରେ ଯାଉଛି ଜଳି
ସନ୍ଧ୍ଯାକୁ ନିଜେ ସେ ପ୍ରତୀକ୍ଷା କରିଛି
ଆସୁଛି ତାହାର ପାଳି ।
ତରୁଣ ତରୁଣୀ ଭ୍ରମଣ କରନ୍ତି
ପରସ୍ପର ହାତ ଧରି
ପ୍ରେମିକ ଚାହିଁଛି ପ୍ରେମିକାକୁ ତାର
ସନ୍ଧ୍ଯାକୁ ଅପେକ୍ଷା କରି ।
ସମସ୍ତଙ୍କ ପାଖେ ସନ୍ଧ୍ଯା ଆସିଯାଏ
ସୁନ୍ଦର ରୂପ ସଜାଡ଼ି
କାହାପାଖେ କିନ୍ତୁ ଅଟକି ରହେନା
ସମସ୍ତଙ୍କୁ ଯାଏ ଛାଡ଼ି ।
ପଥ ବହୁଦୂର ଅତିକ୍ରାନ୍ତ କରି
ସନ୍ଧ୍ଯା ଆସିଛି ଫେରି
ରମଣୀୟ ଦୃଶ୍ଯ ଉପଭୋଗ ପାଇଁ
କରିବାନି ଆଉ ଡେରି ।
