STORYMIRROR

Madhabi Patel

Others

3  

Madhabi Patel

Others

ସମୟ

ସମୟ

2 mins
14K



ଧରିତ୍ରୀ ଓ ସମୟ।

ଦ୍ରୌପଦୀଙ୍କ ପରି ଆଉ ଏକ ନାରୀ

ଛଅ ପତି ସାଥେ ଧରି।

ଧରିତ୍ରୀ ଓ ଋତୁମାନଙ୍କ ସଂପର୍କ

କାହଣୀଟେ ଏହିପରିି।

ରୂପସୀ ଧରିତ୍ରୀ ଜନ୍ମ ଲଭିଥିଲେ

ଗୋଟିଏ ବାଳିକା ବେଶେ।

କ୍ରମେ ବୃଦ୍ଧି ହୋଇ ଯୌବନ ଆସିଲା

ଅପରୂପା ତନୁ ଦିଶେ।

ଆଷାଢ ମାସର ସଂକ୍ରାନ୍ତି ତିଥୀରେ

ରଜସ୍ବଳା ହେଲେ ଦେବୀ।

ବିକଶିତ ହେଲା ତନୁକାନ୍ତି ଶୋଭା

ପ୍ରକୃତି ବିଭବେ ଶୋଭି।

ଧରିତ୍ରୀଙ୍କ ଭାଇ ଚନ୍ଦ୍ର ଏହା ଦେଖି

ମନରେ କଲେ ଭାଲେଣି

ଯୁବତୀ ଭଉଣୀ ପାଇଁ ଏକ ଯୋଇଁ

ଯୋଗ୍ୟବର ଦେବେ ଆଣି।

ସ୍ବର୍ଗପୁରେ ଯାଇ ଇନ୍ଦ୍ରଙ୍କ ସଭାରେ

ଚିନ୍ତାମଗ୍ନ ଗଲେ ହୋଇ।

ଡାଲଖାଇ ନାଚ ରସରକେଲିରେ

ଅପ୍ସରା ନାଚୁଥିଲେ ଯହିଁ।

ବିରସ ବଦନ ମଳିନ ଜାଣିଣ

ବୁଧ ଦେଲେ ପଚରାଇ।

କେଉଁ ସମସ୍ୟାରେ କି ଚିନ୍ତାରେ ଚନ୍ଦ୍ର

ନାଚଗୀତେ ନିଖା ନାଇଁ।

ଶଶାଙ୍କ କହିଲେ ବିଭାଯୋଗ୍ୟା ଭଗ୍ନୀ

ଘରେ ମୋ ଅଛଇ ରହି।

ସେମିତି ଭାଇକୁ ଚିନ୍ତାର କଷଣ

ଅବିରତେ ଘାରୁଥାଇ।

ସୁଯୋଗ୍ୟ ପାତ୍ରୀକୁ ସୁଯୋଗ୍ୟ ବରଟେ

କେଉଁଗୁଣେ ନୁହେଁ ଉଣା।

ଖୋଜିବାକୁ ହେବ ଧରିତ୍ରୀର ପାଇଁ

କିଏ କରିବ କରୁଣା।

ରାଣୀ ଭଉଣୀକୁ ରାଜାଟିଏ ଲୋଡା

ହୋଇଥିବ ଇନ୍ଦ୍ର ପରି।

ଅତ୍ୟନ୍ତ ସୁନ୍ଦରୀ ଅତି ସୁକୁମାରୀ

ହୀରାନୀଳା ନୁହେଁ ସରି।

ଝକ ଝକ କାନ୍ତି ପୁଷ୍ଟ ତନୁ ଛାତି

ରମ୍ଭା ନୁହେଁ ତାର ସରି।

ସହନଶୀଳା ସେ ଗୁଣେ ଅନୁପମା

ଦୟାମୟୀ ସ୍ନେହୀ ନାରୀ।

ଅନୁକମ୍ପା ତାର ସାରା ଜୀବପାଇଁ

ରହିଅଛି ହୃଦେ ଭରି।

ନିଜ ଜୀବନକୁବାଣ୍ଟିଦିଏ ସିଏ

ସମସ୍ତଙ୍କୁ ଭାଗ କରି।

ମମତା କରୁଣା ତା ଅଂଗ ସୁଷମା

ନାହିଁ ତାର ପଟାନ୍ତର

ବକ୍ଷକୁ ଫଟାଇ ବହିଯାଏ ନଈ

ହୁଏନା କେବେ ଅଧିର।

ଖାଦ୍ୟ ବାସ ଅନ୍ନ ସବୁର ଯୋଗାଣ

କୋମଳ କାନ୍ଧରେ ବୋହି।

ସକଳ ଜୀବର ପାଳନ କରଇ

ସକଳ କଷ୍ଟକୁ ସହି।

ଏତେ ଯଦି ଗୁଣୀ ଭଉଣୀ ତୁମର

ଇନ୍ଦ୍ରଙ୍କଠୁ ଯୋଗ୍ୟ ବର।

କେଉଁଠି ପାଇବ ତାଙ୍କଠୁ ଉତ୍ତମ

ଯୋଗ୍ୟତାରେ ଶ୍ରେୟସ୍କର।

ଚନ୍ଦ୍ର ଆଗ୍ରହରେ ଇନ୍ଦ୍ର ହେଲେ ରାଜି

ଧରିବେ ଧରିତ୍ରୀ କର।

ଦେବତାଏ ମିଶି ଖୁସି ମନାଇଲେ

କରି ହରିବୋଲ ସ୍ବର।

ଖୁସିରେ ଶଶାଙ୍କ ଫେରିଲେ ଗୃହକୁ

ହସ ହସ ମୁହଁ ଦିଶେ।

ଧରିତ୍ରୀ ବୋଲଇ କି ଖୁସିରେ ଭାଇ

ପୁର୍ଣମୀ ଆଭା ପ୍ରକାଶେ।

ଶଶାଙ୍କ କହିଲେ ତୋ ପାଇଁ ଧରିତ୍ରୀ

ଖୋଜିଛି ମୁଁ ଯୋଗ୍ୟବର।

ଇନ୍ଦ୍ରର ଘରଣୀ ହେବୁ ସ୍ବର୍ଗରାଣୀ

ହୋଇବେ ଇନ୍ଦ୍ର ତୋ ବର।

କି କହୁଛୁ ଭାଇ କି କରିଲୁ ତୁହି

ମୋ ମତାମତ ନେଲୁ ନାହିଁ।

କେବେଠୁ ହୃଦୟ ମନକୁ ମୋହର

ସମୟ କୁ ଅଛି ଦେଇ।

ଉଚ୍ଚିଷ୍ଟ ଦେହକୁ କେମିତି ଅନ୍ୟକୁ

କହ ମୁଁ ପାରିବି ଦେଇ।

ଜ୍ଞାତ ହେଲେ ଇନ୍ଦ୍ର କ୍ରୋଧ ହେବ ଜାତ

ଦ୍ରୋହ କରିବେ ଆମକୁ।

ନିନ୍ଦିତ କରିବେ ସମାଜେ ତାହାଙ୍କୁ

ଭୁଲ କହିବେ ଆମକୁ।

ତୁମେ ଶୀଘ୍ର ଯାଇ ଦିଅହେ ବୁଝାଇ

ନୁହେଁ ମୁଁ ତାଙ୍କର ଯୋଗ୍ୟ।

ମୋ ପାଇଁ ମର୍ତ୍ତ୍ୟର ସୁଖହିଁ ଯଥେଷ୍ଠ

ଲୋଡା ନାହିଁ ମୋର ସ୍ବର୍ଗ।

ଚନ୍ଦ୍ର ଯାଇ ଯେବେ କହିଲେ ଇନ୍ଦ୍ରଙ୍କୁ

ଭୁଲ ବୁଝାମଣା କଥା।

ଇନ୍ଦ୍ରଙ୍କ ପଞ୍ଚମ ପାରା ଚଢିଗଲା

ଏହା ମୋ ଇଜ୍ଜତ ଖିଲାପି କଥା।

ବଜ୍ରକୁ ଡକାଇ ଦେଲେ ସେ ପଠାଇ

ସମୟ ମରଣ ପାଇଁ।

ରାଗରେ ଗର୍ଜିଲା ମେଘ ସଙ୍ଗେ ବଜ୍ର

ପଡିଲା ଭୂଇଁରେ ଯାଇ।

ପୃଥିବୀ କୋଳରେ ସମୟ ସାଥିରେ

ଶୋଇଥିଲେ ଦୁଇଜଣ।

ବଜ୍ର ପଡି ତହିଁ ସମୟ ବୁକୁରେ

କରିଦେଲା ଛଅ ଖଣ।

ଧରିତ୍ରୀ କାନ୍ଦିଲା ସମୟ ହରାଇ

ପାଗିଳୀ ବାଉରୀ ହେଇ।

ଲୁହ ମୟ ହେଲାସାରା ପୃଥିବୀଟା

ଜଳମଗ୍ନ ଗଲା ହୋଇ।

ଜୀବଜନ୍ତୁ ସବୁ ସ୍ଥିର ହୋଇଗଲେ

ହଲିଲାନି ଗଛଲତା।

ସାରା ପୃଥିବୀରେ ଅନ୍ଧାର ଘୋଟିଲା

ସ୍ଫୁରିଲାନି କାର କଥା।

ପବନ ପ୍ରବାହ ହେଲା ବନ୍ଦପ୍ରାୟ

ଥମିଗଲା ଧରା ପ୍ରାଣ।

ବ୍ରହ୍ମା ଯାଉଥିଲେ ଆକାଶ ମାର୍ଗରେ

ଦୁଃଖେ ହେଲେ ମ୍ରିୟମାଣ।

ଆସି ପୃଥିବୀକୁ କହିଲେ ଦେବୀଙ୍କୁ

କିପାଇଁ ରୋଦନ କର।

ଏ ଅବସ୍ଥା ତୋର ସୃଷ୍ଟି ନାଶକରେ

ଧ୍ବଂସ ହେବ ସଂସାରର।

ସମୟ ଜୀବନ କରିବି ପ୍ରଦାନ

ବଞ୍ଚିିବ ପୁନର୍ ଜୀବନ।

କମଣ୍ଡଳୁ ଜଳ କରିଲେ ସିଞ୍ଚନ

ଫେରିଲା ସମୟ ପ୍ରାଣ।

ଛଅ ଖଣ୍ଡ ଥିଲା ଛଅଟି ଶରୀର

ରୂପ ହେଲା ସେ ସାକାର।

ଛ ରୂପ ଦେଖି ପୃଥିବୀ ରାଣୀର

ଆଶ୍ଚର୍ୟ୍ୟ ବଷାଦ ସ୍ବର।

ଛଅଟା ପୁରୁଷ ଏକା ସାଥେ ମୋର

କେମିତି ଧରିବେ କର।

କୁଳଟା ଅସତୀ କହିବ ଜଗତ

ନିନ୍ଦାକୁ ମୋ ପ୍ରାଣେ ଡର।

ବ୍ରହ୍ମା କହିଲେ ଦୁଃଖ ନାହିଁ ଝିଅ

ସତୀ ଧର୍ମ ଥିବ ତୋର।

ଏକା ସମୟ ଛ ଖଣ୍ଡ ହୋଇଛି

ତୋ ସାଥେ କରିବ ଘର।

ବର୍ଷା ଶରତ ହେମନ୍ତ ଶୀତ ଓ ବସନ୍ତ

ଗ୍ରୀଷ୍ମ ସଂଗେ ହୋଇପାଳି।

ସୁଖ ଦୁଃଖ ଦେବେ ଯାହା ତୋ ଭାଗ୍ୟରେ

ଆପଣାର କର ଖାଲି।

ଋତୁଙ୍କ ଅନୁସାରେ ତୋ ରୂପ ରଂଗ

ଉଦ୍ଭିଦ ଶସ୍ୟର ଜାତ।

ଭୋଗ କରିବେ ଏ ସଂସାରର ଜୀବ

ପାଳିବୁ ସାରା ଜଗତ।

ଗରଭ ଧାରଣରେ ଜନମ କରିବ

ଜୀବଙ୍କୁ ଛପନ କୋଟି।

ବାଉନ କୋଟିର ଭଣ୍ଡାରକୁ ସର୍ବେ

ଖାଉଥିବେ ବାଣ୍ଟିକୁଟି।

ମାଧବୀ ପଟେଲ।














































ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍