STORYMIRROR

sushama Parija

Others

2  

sushama Parija

Others

ସମୁଦ୍ରର ସ୍ୱର

ସମୁଦ୍ରର ସ୍ୱର

2 mins
215


ହେ ମତ୍ତ ଗର୍ବୀ ମାନବଗଣ ! 

ଦେଖିଲ ତ ମୋର ଭୀଷଣ ରୂପ ?

ଶୁଣି ପାରିଲ ତ ମୋର ଭୀଷଣ ଫୁତ୍କାର ?

ଦେଖିଲ ତ କ’ଣ କରିପାରେ ମୁଁ ଉତ୍ କ୍ଷିପ୍ତ ହେଲେ ?

କେଉଁ ଅନାଦି ଅନନ୍ତ କାଳରୁ ମୁଁ ବ୍ରହ୍ମାଣ୍ଡ କୁ

ସାଇତି ରଖିଥିଲି ମୋର ଅଦଳ ଗର୍ଭରେ ,

ଅନନ୍ତଶୟନରେ ଶାୟିତ ଥିଲେ ଅନନ୍ତ ନାରାୟଣ ,

ସୃଷ୍ଟି ସର୍ଜନା ର ଦୁର୍ବାର ଇଚ୍ଛା ରେ ଜାଗ୍ରତ ହେଲେ,

ନିଜ ଶରୀର ରୁ ନିର୍ମାଣ କଲେ ସଚରାଚର ,

ଶୈବାଳ ଠାରୁ ମାନବ ସତ୍ତା ପର୍ଯ୍ୟନ୍ତ 

ସୃଷ୍ଟି ରେ ଭରିଦେଲେ ସମଗ୍ର ପୃଥିବୀ, 

ବେଦ, ଉପନିଷଦ, କର୍ମ କାଣ୍ଡ ର ଜ୍ଞାନ ଦେଲେ,

ତୁମ ମାନଙ୍କ ଜୀବନର ପନ୍ଥା ନିର୍ଦ୍ଧାରଣ କଲେ, 

ତୁମେମାନେ ସୃଷ୍ଟି ର ନିୟମ କୁ ନିଷ୍ଠା ର ସହ

ପାଳନ କରିବ ବୋଲି ପ୍ରତିଶ୍ରୁତିବଦ୍ଧ ହେଲ, 

ଖୁବ୍ ସୁନ୍ଦର ଭାବରେ ପାଳନ କରୁଥିଲ ମଧ୍ୟ ।

ମୋତେ ଦେବତା ରୂପରେ ପୂଜାର୍ଚ୍ଚନା କଲ,

ମୁଁ ତୃପ୍ତ ହୋଇ, ତୁମ ମାନଙ୍କୁ ଅନେକ 

ଉପହାର ଦେଲି,ମଣି, ମୁକ୍ତା, ମାଣିକ୍ୟ, ପ୍ରବାଳ ,

ତୁମକୁ ଜୀବନଧାରଣ ର ସମସ୍ତ ଆବଶ୍ୟକ ପଦାର୍ଥ,

ତୁମ ପାଇଁ, ନଦୀ, ପର୍ବତ, ଜଙ୍ଗଲ, ଭୂମି ସବୁ ଦେଲି, 

ତୁମେ ବେଲ ସଶକ୍ତ, ଦୀପ୍ତିମନ୍ତ, ଋଦ୍ଧିମନ୍ତ, ଜ୍ଞାନବନ୍ତ ।

ହେଲେ ତୁମେ ମଦମତ୍ତ ହୋଇ ଇଏ କ’ଣ କଲ ? 

ଅନ୍ଧ ହୋଇ ନିଜର ସର୍ବନାଶ କୁ ନିଜେ ଡାକି ଆଣିଲ? 

ନିଜେ ନିଜକୁ ଦ୍ୱିତୀୟ ଈଶ୍ବର ବୋଲି ମନେ କଲ?

ମୋ ସହନଶୀଳତା ସହୃଦୟତା କୁ ମୋର ଦୁର୍ବଳତା 

ବୋଲି ଭାବିନେଲ ? ମୋତେ କୃତଜ୍ଞତା ଜଣାଇବା 

ପରିବର୍ତ୍ତେ ମୋ’ ଉପରେ ଅଧିକାର ସାବ୍ୟସ୍ତ କରି 

ନିରନ୍ତର ଅତ୍ୟାଚାର ଆରମ୍ଭ କରି ଦେଲ ? 

ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଛିନ୍ନ ଭିନ୍ନ କରି ଦେଲ ମୋ ଛାତି? 

ଯାବତୀୟ ବିଷ ଢାଳି ବିଷାକ୍ତ କରିଦେଲ ମତେ ? 

ହତ୍ୟା କଲ ମୋ ସାମ୍ରାଜ୍ୟ ରେ ଆଶ୍ରିତ ପ୍ରାଣୀମାନଙ୍କୁ ?

ଲୁଟି ନେଲ ମୋର ସୌନ୍ଦର୍ଯ୍ୟ, ମୋର ଶାନ୍ତଶୀଳ ପରିବେଶ? 

ଥରେ ନୁହେଁ, ବାରମ୍ବାର, ବାରମ୍ବାର, ବାରମ୍ବାର ।

କେତେ ଆଉ ସହନ୍ତି ତୁମର ମଦମତ୍ତ ନିର୍ଦ୍ଦୟ ଅତ୍ୟାଚାର କୁ? 

ମୁଁ ପ୍ରତିବାଦ କରିବା ଆରମ୍ଭ କଲି, ସତର୍କ କଲି ତୁମକୁ, 

ମୋତେ କ୍ଷତାକ୍ତ କରନା, ଉତ୍ତ୍ୟକ୍ତ କରନା, ତୁମେ ଚେତିଲନି,

ତୁମ ଦୁର୍ବାର ଇଚ୍ଛାପୂର୍ତ୍ତି ପାଇଁ, ତୁମର ଶକ୍ତିବୃଦ୍ଧି ପାଇଁ, ତୁମ ଜୀଗୀଷା ପାଇଁ 

ମୋ ଉପରେ ପ୍ରହାର ଉପରେ ପ୍ରହାର କରି ଚାଲିଲ,

ଅସହ୍ୟ ବେଦନା ରେ ମୋର ସହନଶକ୍ତି ଲୁପ୍ତ ହେଲା, 

ଧୀରେ ଧୀରେ ମୁଁ ଉଗ୍ର ରୂପ ଧାରଣକଲି, 

ନିଜର ଆତ୍ମରକ୍ଷା ପାଇଁ ମୋର ଫଣା ତୋଳିଲି,

ମୋର ତୀବ୍ର ଫୁତ୍କାର ରେ ଉଡାଇ ଦେଲି ତୁମର ସମସ୍ତ ସମୃଦ୍ଧି 

ମୋର ଲହ ଲହ ଜିହ୍ୱା ରେ ଦଂଶନ କଲି ତୁମକୁ,  

ମୋର ଉତ୍କଟ ବିଷ ଜ୍ୱାଳା ରେ ଜାଳି ପୋଡି ଛାରଖାର କରିଦେଲି

ତୁମର ସକଳ ଦମ୍ଭ, ଅଭିମାନ, ତୁମର ପାରିବା ପଣିଆ ,

ଏବେ ତୁମେ ପରାଜିତ ପ୍ରକୃତି ର ପ୍ରତିଶୋଧ ଆଗରେ,

 ପରାହତ ତୁମର ସେ ଉନ୍ନତ ଜ୍ଞାନ ବିଜ୍ଞାନ ର ସ୍ପର୍ଦ୍ଧା,

ଏବେ ଚତୁର୍ଦ୍ଦିଗ ହାହାକାର ମୟ, ନୀରବ, ନିଥର, 

ଏବେ ତ ଟିକିଏ ସୁଧୁରି ଯାଅ, ପ୍ରକୃତି ବିରୁଦ୍ଧରେ ଯାଅନା, 

ନିଜେ ଶାନ୍ତି ରେ ରୁହ,ଅନ୍ୟ ମାନଙ୍କୁ ବି ଶାନ୍ତି ରେ ରହିବାକୁ ଦିଅ,

ସତ୍ୟ, ଧର୍ମ,ଦୟା, କ୍ଷମା,ସହିଷ୍ଣୁତାର ମାର୍ଗ ଅନୁସରଣ କର, 

ସର୍ବଦା ଈଶ୍ବର ଙ୍କ ସତ୍ତା ରେ ବିଶ୍ବାସ ରଖ, 

ଧୀରେ ଧୀରେ ସବୁ ସାମାନ୍ୟ ହୋଇଯିବ, 

ପୃଥ୍ବୀ ହେବ ଠିକ୍ ପୂର୍ବ ଭଳି ଶାନ୍ତ, ସୁଶୀତଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍