ସ୍ମୃତିର ଠିକଣା
ସ୍ମୃତିର ଠିକଣା
ଶୀଥିଳ ହୃଦୟ ଆଜି ଆଖିର ଲୁହକୁ
ଆକଣ୍ଠ ପାନ କଲାପରେ,
ପଚାରୁଛି ଆଖିକୁ
କାହିଁକି ଦେଖୁଛୁ,କାହାକୁ ଦେଖୁଛୁ?
ହୃଦୟକୁ ଡେଇଁ,ଭାବନାକୁ ମାରି,
ଆଖିର ଆଲୋକକୁ ଅମା ଅନ୍ଧାରରେ ଠେଲି ଦେଇ
ଚାଲି ଯାଇଥିବା ଗୋଟେ ଝାପସା ଫଟୋଚିତ୍ରକୁ
କଣ କହୁଛି ସେ ତୁମକୁ?
ପୁଣିଥରେ ଧକ୍କା ଖାଇଥିବା ପାନ୍ଥଶାଳାଟି ପରି
ସହିଯିବାକୁ ଆଉ ଗୋଟିଏ ଛଳନା,
ନା,ଏକାକୀ ନିର୍ଜନ ରାସ୍ତାରେ ଠିଆ ହୋଇଥିବା
ତାଳଗଛ ପରି ମୁଣ୍ଡକୁ ଉଚ୍ଚା କରି ଦେଖି ଯା'
ଲାଞ୍ଛନା ତାଡନାର କଷାଘାତରେ ଜର୍ଜରିତ
ନିଶ୍ଚଳ ପାହାଡଟି ପରି
ନୀରବରେ ପଢିଚାଲ୍ କଳଙ୍କିତ ଅଧ୍ଯାୟକୁ।
ଏମିତି ବି କହିପାରେ ସେ ଫଟୋଚିତ୍ର
ଠିଆ ହୁଅ ଥୁଣ୍ଟାଗଛଟି ପରି,
ମୁଁ ପୁଣି ଫେରାଇ ଦେବି
ସେହି ହଜିଲା ଦିନର ସବୁଜିମାର ସୌନ୍ଦର୍ଯ୍ଯ ସବୁକୁ,
ଯାହା ତୁମେ ହରାଇଛ କାଳର କରାଳ ଗତିରେ।
ଖାଲି ସେତିକି ନୁହେଁ,
ହସ ଖୁସି ଓ ସ୍ନେହରେ ନିବୁଜ ଫରୁଆକୁ ବି
ଖୋଜି ଆଣିଦେବି ଦରିଆର ପଙ୍କିଳ ହୃଦୟରୁ,
ଆଖି ତ ଭିଜିଗଲା ଲୋଚାକଚା ଅଳନ୍ଧୁ ପୂରିତ
ଫଟୋରୁ ନଜର ଆଣୁ ଆଣୁ,
ତତଲା ଲୁହ କହି ଦେଇଗଲା ସ୍ମୃତି ସିନା
ପାଖେ ପାଖେ ଅଛି,
ହେଲେ ପାଉନି ମୋ ସ୍ମୃତିର ଠିକଣା।
©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।