STORYMIRROR

Ajaya Mahala

Others

3  

Ajaya Mahala

Others

ସ୍ମୃତିର ଛାଇ

ସ୍ମୃତିର ଛାଇ

1 min
25.5K


ଉପରେ ମହାକାଶ

ତଳେ ବିଶାଳ ଆଟଲାଣ୍ଟିକ

ମୁଁ ଯାଉଛି ଉଡି

ପୃଥିବୀର ଏହି ଅନ୍ଧାରୀ ପାର୍ଶ୍ଵରେ

ପାସପୋର୍ଟ, ଭିସା

ଆଉ ପରିଚୟର ଚିହ୍ନଟେ ଧରି


ଏଇନେ ତ ଚାରି ପଟେ

ବହଳ କଳା ଅନ୍ଧାର

ମାଡି ଆସୁଛି ଆଲୁଅ

ପୂର୍ବ ପଟୁ

ଇଉରୋପର ପଶ୍ଚିମୀ ତଟ ଦେଇ

ମହା ଭୂଖଣ୍ଡ ଡେଇଁ

ସମୁଦ୍ରରେ ପଶିବ

କଳା ସମୁଦ୍ରକୁ

ନୀଳ ରଙ୍ଗ ବୋଳି ଚାଲିବ


ଯାଉଛି ମୋ ସାଥେ ଉଡି

ତୁମ ସ୍ମୃତି ବି

ଯିଏ ଅଦ୍ଭୁତ ରୂପରେ

ଏୟାର ପୋର୍ଟର ସବୁ ଗେଟ

ଆଉ ସୁରକ୍ଷା ଯାଞ୍ଚର

ଦୁର୍ଭେଦ୍ୟ ବଳୟ

ପାର ହୋଇ ଆସିଲା

ବିନା କିଛି କାଗଜ ଦେଖେଇ


ଆଉ ଅନ୍ଧାରରେ ଉଡୁଥିବା

ତୁମ ସ୍ମୃତି

ତାର ପରିଚୟ ନାହିଁ

ସକାଳ ସଞ୍ଜ ନାହିଁ

ନାହିଁ ଆଲୁଅ ଅନ୍ଧାର

ନାହିଁ ଉପର ତଳ

କିଛି ବି

ସିଏ ତ ମୋ ପାଶେ ପାଶେ

ଅଛି ପ୍ରତି ମୂହୁର୍ତ୍ତରେ

କେତେ ମଧୁର ଆଉ

କଷ୍ଟଦାୟୀ ବି

ମହାଶୂନ୍ୟରେ

ଅସମ୍ଭବ ରୂପେ ଝଂକେଇ ଯାଉଛି

ସ୍ମୃତି ବୃକ୍ଷ

ପୁଣି ମାଟି ଖୋଜୁଛି

ତା ଚେର ପାଇଁ



ଭାବିବାକୁ ଗଲେ

ଗ୍ରହ ଗ୍ରହାଣୁ ପୁଞ୍ଜ

ସହ ମୁଁ ଉଡୁଛି

ତୁମ ପୃଥିବୀ ପରି

ଅନନ୍ତ ମହାଶୂନ୍ୟରେ

ସେଠି ପାସପୋର୍ଟ ଆଉ ଭିସାର

ମାନେ କିଛି ନାହିଁ

ମୋର ବା କି ପରିଚୟ ସେଠି

ବୋଧେ ମହାଶୂନ୍ୟରେ

କେବଳ ସ୍ମୃତିର ହିଁ

ପରିଚୟ ଅଛି

ତୁମ ସ୍ମୃତି ଯଦି ଚିହ୍ନାଇ ନ ଦିଏ

ମତେ କେହି ଚିହ୍ନିବେନି


ବିମାନରୁ

ଅବତରଣ ପରେ

ଅଧିକ ପାଇବି କଣ

ଭେଟିବି କଣ

ତୁମ ସ୍ମୃତି ଥିଲେ

ମୁଁ ମୋ ପରିଚୟ ପାଏ

ପାଦ ରଖିବାକୁ

ମତେ ମାଟି ମିଳିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍