STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ସ୍ମୃତି

ସ୍ମୃତି

1 min
24.8K



ସ୍ମୃତି ତମେ ଆସ ନଇଁ ନଇଁ କେବେ

ସପନ ପାଲିଙ୍କି ଚଢି

ନିଦ ହଜିଯାଏ ପ୍ରାଣ ଭିଜିଯାଏ

ହସୁଥାଏ ଆଶା କଢି ।।


ସ୍ମୃତି ତମେ କେବେ ଶାଳବଣ ଛାଇ

କେବେ ମୁରଲୀର ସ୍ବନ

ଯମୁନା କୂଳରେ ଅଳସ ସଂଜରେ

ହସଇ କଦମ୍ବ ବଣ ।।


ସ୍ମୃତି ତମେ କେବେ ପାହାନ୍ତି ସକାଳ

ତମିସ୍ରା ର ନୀରବତା

ପୁନେଇଁ ଆକାଶେ ତୋଫା ଜହ୍ନ ତୁମେ

କେବେ ତମେ ନିର୍ଜନତା ।।


ସ୍ମୃତି ତମେ କେବେ ସାଗର ମୂର୍ଚ୍ଛନା

ଅସରନ୍ତି ମଧୁରତା

ଢାଳିଦିଅ କେବେ ଶୀତଳ ଚନ୍ଦନ

ମନେ ଭରେ ସରସତା ।।


ସ୍ମୃତି ତମେ କେବେ ଧାରା ଶ୍ରାବଣ ତ

କେବେ ବଇଶାଖୀ ତାତି

ଅଦିନିଆ ଝଡ ନୀଡ ଭାଙ୍ଗିଦିଏ

ଛନ୍ଦହୀନ ଲାଗେ ଗୀତି ।।


ସ୍ମୃତି ତମେ କେବେ ପୂର୍ଣ୍ଣ ତପୋବନ

ପୂର୍ଣ୍ଣତାର ପୂର୍ଣ୍ଣ ଶଶୀ

ମଧୁର ସମୀର ଧବଳ ଜୋଛନା

ପଡଇ ସରଗୁ ଖସି ।।


ସ୍ମୃତି ତମେ କେବେ ଫୁଲର ପାଖୁଡା

ସୁରଭିରେ ଢଳଢଳ

କାକର ବିନ୍ଦୁ ରେ ତମେ ଆୟୁଷ୍ମାନ

ଆଖି ତମ ନୀଳ ନୀଳ ।।


ତମେ ଯେବେ ଆସ ଶୀତୁଆ ସଂଜରେ

ମନ ହୁଏ ପୁଲକିତ

ହୃଦୟର ଗୀତ ଗୁଂଜରିତ ହୁଏ

ଦିନ ଲାଗେ ସୁବାସିତ ।।


ସ୍ମୃତି ତମେ କେବେ ଫଗୁଣ ର ରଂଗ

ଗୋଲାପୀ ଗୋଲାପୀ ଭାବ

କଣ୍ଟକିତ ପଥେ ପୁଷ୍ପ ବୃଷ୍ଟି ହୁଏ

କୋଇଲି ର କୁହୁରାବ ।।


ସ୍ମୃତି ତମେ କେବେ ଉଆଁସ ଛାତିର

ଘନଘଟା ଅନ୍ଧକାର

ଜାଳିଦିଅ କେତେ ସୁନେଲି ସପନ

ଜଳୁଥାଏ ନିରନ୍ତର ।।


--------------------

ଶରତ କୁମାର ଦାସ


Rate this content
Log in