ସ୍ମୃତି ତୁମେ !
ସ୍ମୃତି ତୁମେ !
ସ୍ମୃତି ତୁମେ!
ଶୀତର୍ତ୍ତୁ ବଡି ଭୋରେ
ନବ ବଧୁର ଗାଧୁଆ।
ତୁଠ ପଥର ଦିହରେ ପଡିଥିବା
ଫିକା ଅଳତା ରଙ୍ଗର ଛାପ
ବାସର ରାତିର ଅଜଣା ମଧୁର ଡର
ପ୍ରଥମ ଲାଜୁଆ ଛୁଆଁ।
ସରୁ ଚୁମ୍ବନର ହାତ ଠରା ଡାକରା
ରତି ସ୍ନିଗ୍ଧ ଅଡୁଆ ଶେଯର ଝାଳୁଆ ଗନ୍ଧ
ମୋ ସାଥୀ ସାଥିରେ ମୋତେ ଭିଜାଇ
ତାତିର ଅନୁଭବ ଦେଇଥିବା
ଝରା ଶ୍ରାବଣର ଧାରା।
ସ୍ମୃତି ତୁମେ !
ବିଶାଳ ବୃକ୍ଷର ଜଞ୍ଜାଳି ଅତିତ
ସ୍ବପ୍ନିଳ ବୀଜ ପତ୍ରୀ ସବଳ ଚାରା।
ଅକାଳେ ଅସ୍ତମିତ ସୂର୍ଯ୍ଯର ଚିତ୍କାର
ମଲା ଜହ୍ନର ନିର୍ଦ୍ଦୋଷ ବିବଶତା
ବିଫଳ ପ୍ରୟାଶରେ ଥକା ହରା ଡେଣାର
ଅନୁଜ୍ଜୁଳ ଆକାଶ
ପୁଳା ପୁଳା ଝାଞ୍ଜି ପବନର ତାଡନା
ହସ୍ତଗତ ଇତିହାସ
ହନ୍ତସନ୍ତ ଆଖି ଲୁହ ଝରା।
ସ୍ମୃତି ତୁମେ!
ଅଥକ ସହନ ସାଧନାର
ଚକ୍ଷୁ ପିତୁଳା
ପାହାଡକୁ ଚିରି ଝରିଥିବା ଝରଣାର
ଅପ୍ରତିଦ୍ବନ୍ଦିୀ ଖରସ୍ରୋତା ଧାରା।
ଭସା ବାଦଲର ଅଥୟ ନାଆ
ଅଲିଭା ଅଭାବନୀୟ ଦାଗ ଟିଏ
ଚିର ପିଡାଦାୟୀ ପୋଡା ଘାଆ।
ସାଉଁଟା ସୁଖର ଅବେଳ ମୃତ୍ଯୁ
ପ୍ରତ୍ଯୁଷକୁ ଜାଳି ଦେଇଥିବା
ଏକ ମର୍ମହନ୍ତା ଅହନ୍ତାର ଖରା।
ସ୍ମୃତି ତୁମେ!
ଲିଭିଲା ଯୁଇର ମଶାଣି ପାଉଁଶ
ପାଉଁଶ ତଳ ନିଆଁର ସ୍ତବ୍ଦ ଆକ୍ରୋଶ
ଋତୁଚକ୍ରର ଏକ ଅତିକ୍ରମଣ
ପତ୍ରଝଡା ଦେଇଥିବା ଶ୍ରାବଣ।
ଅଦିନ ବର୍ଷାର ଏକ ବିଭିଷିକା
କାନ୍ଥେ ଅଙ୍ଗାରରେ ଲେଖିଥିବା
ପ୍ରେମିକାର ନାମ।
ଆଉ ତୁମେ !
ଉଦ୍ଯାନ ବୃକ୍ଷ ଗଣ୍ଡିରେ ପଥର ଦ୍ବାରା
କିଛି ଖୋଦି ଆଙ୍କିଥିବା ବାୟା ମନ
ବେଫେରାଦି ଅଫେରା ନଈର
ଜୀବନଦାୟୀ ନୟନ
ତୁମେ ମୋ ବାଲିଘର
ଝରକା ଦେଇ ଆସିଥିବା କିରଣ।
ଅଲିଅଳ ପିଲା ଦିନ।