ସ୍ମୃତି ମୋ ପିଲାଦିନର
ସ୍ମୃତି ମୋ ପିଲାଦିନର
ଜୀବନକୁ ଆଜି ବାଣ୍ଟି ଦିଏ
କେବେ ସ୍ୱାମୀ ପାଇଁ, ତ କେବେ ସନ୍ତାନ ପାଇଁ
ପୁଣି କେବେ ଶାଶୁ, ଶ୍ୱଶୁର ସେବା ପାଇଁ
କେବେ କଟିଯାଏ ସରକାରୀ ହୁକୁମରେ
ତେବେ ନିଜ ପାଇଁ ସମୟ କାହିଁ ll
ହିସାବ ରଖେନି ମୁଁ
କେବେ ହୋଇଯାଏ ପୁଣି ଅନୁଭୂତି
କେବେ ହୋଇଯାଏ ସ୍ମୃତି
ଦୂର ଦିଗବଳୟର ସିନ୍ଦୁରୀ ରଙ୍ଗରେ
ଜନ୍ମ ମୃତ୍ୟୁର ଶିଥିଳ ଲହରୀରେ
ହଜି ଯାଏଁ କେବେ ଜୀବନର ଆଦ୍ୟ ବସନ୍ତରେ
ବାଣ୍ଟିଦିଏ ମୋର ସବୁ ଖୁସି ସେ ନିପା ନିଆଁ ବିଲରେ
ବାନ୍ଧି ହୋଇଯାଏ କେଉଁ ଅନାବିଳ ପ୍ରେମରେ
ଭାସିଯାଏ ସବୁ ସ୍ୱପ୍ନ ସେଇ ଚିର ସ୍ରୋତା ନଈରେ
ଚନ୍ଦ୍ର ପରି ସ୍ନିଗ୍ଧ ମନ ମୋର
ଲିଭିଯାଏ ସବୁ ସ୍ୱପ୍ନ ମନ କାନଭାସର ରଙ୍ଗହୀନ ତୁଳିରେ
ସ୍ମୃତି ସବୁ ଲିଭିଯାଏ ମନ ଆଇନାରେ
ସେ ପିଲାଦିନ, ସେ ବାଲିଘର, ସେ ସାଙ୍ଗ ସାଥି
ଆଈର ସେ କୁହୁକ କାହାଣୀ, ସେ ବୁଢ଼ୀ ଅସୁରୁଣୀ
ସେ ସିନ୍ଦୁରୀ ଆକାଶରେ ଗୁଡ଼ି ଖେଳ
ପୁଣି ବେଲୁନ ଫଟାଇଲେ କେତେ କାନ୍ଦ ରୋଲ
କେବେ ମୋ ପୋଷା କୁକୁରକୁ ଆଉଁସି ଦିଏ
କେବେ ତା ପଛେ ପଛେ ଦୌଡ଼ି ଯାଏଁ
କାଳେ ତାକୁ ଭଲପାଏ ନି ବୋଲି
ପୁଣି ମୋ ମୁହଁକୁ ସେ ନିରସରେ ଚାହେଁ
ବିଶ୍ବାସୀ ଜୀବଟିଏ ଥିଲା ସେ ମୋପାଇଁ
ସୁଖ ଦୁଃଖରେ ଥିଲା ସାଥିଟିଏ ହୋଇ ll
ଆଜି ଝଲସି ଉଠେ ମନର ନିଷିଦ୍ଧ ଅଗଣାରେ
କେତେ ସୁନ୍ଦର ଥିଲେ ସେ ସାଙ୍ଗ ସାଥି
କେତେ ସୁନ୍ଦର ଥିଲା ସେ ହଜିଲା ଅତୀତ
କେତେ ସୁନ୍ଦର ଥିଲା ସେ ଜହ୍ନ ମାମୁଁ ଗୀତ
ଆଜି ସମୟ ସୁଅରେ ଭାସୁଛି ଖାଲି ସ୍ମୃତିରେ
ରହିଛି କିଛି ସ୍ମୃତି କିଛି ଅନୁଭୂତି ମୋ ମନ ସିନ୍ଦୁକରେ ll
