ସ୍ମୃତି ଏକ ମୋ ପିଲାଦିନର
ସ୍ମୃତି ଏକ ମୋ ପିଲାଦିନର
ପିଲାଦିନ କଥା କହୁଅଛି ଯାହା ମନକୁ କରେ ଉଚ୍ଚାଟ
ଧରିଲି ସେଦିନ କଲମ, କାଗଜ ଛାଡି ଖଡ଼ି ଓ ସିଲଟ l
ଜଳଖିଆ ଖାଇ ପ୍ରାର୍ଥନା ସାରି ମୁଁ ପଢିବାକୁ ଗଲି ବସି
ନୂଆ କଲମଟା ଧରି ଲେଖିବାକୁ ଚେଷ୍ଟାକଲି ହସି ହସି l
ଅଙ୍କାବଙ୍କା ହେଲା ଅକ୍ଷରଗୁଡାକ ଧାଡି ତ ନ ହେଲା ସିଧା
ଗୋଟିଏ ପୃଷ୍ଠାକୁ କରୁ କରୁ ଶେଷ ମନରେ ଆସିଲା ବାଧା l
ଆଉ କଲମରେ ଲେଖିବିନି ଭାବି ଫୋପାଡ଼ିଦେଲି ରାଗରେ
ମାଆ ଦୂରେ ଥାଇ ଦେଖୁଥିଲେ ସବୁ ପାଖକୁ ଆସିଲେ ଧୀରେ l
କାନ୍ଦ କାନ୍ଦ ହୋଇ କହିଲି ତାହାଙ୍କୁ ଏ କଲମ ଭଲ ନୁହଁ
ଆଙ୍ଗୁଠି ବିନ୍ଧୁଛି ଧରିଲେ ଏହାକୁ ଲେଖିବି କେମିତି କୁହ?
ସାଙ୍ଗ ସାଥୀ ମେଳେ ଏପରି ଲେଖିଲେ ହେବି ସିନା ଲୋକହସା
ବୁଦ୍ଧିଯାଏ ହଜି ଲେଖିବି କିପରି ପାଉନି ମୋର ଭରସା l
ମାଆ ହସିଦେଇ କହିଲେ ମୋ ଧନ ଧୈର୍ଯ୍ୟ ଏକା ତୋ'ର ସାହା
ନୂଆ ନୂଆ ଚିଜ ଲାଗଇ ଏମିତି ପରେ ହୁଏ ଦେହସୁହା l
ଅଭ୍ୟାସ ବଳରେ ଶିଖିଛୁ ଚାଲିବା ଉଠିଛୁ ପଡ଼ିଛୁ କେତେ
କହିବା ଶିଖିଛୁ ଲେଖିବା ଶିଖିବୁ କଲମଟି ଧରି ହାତେ l
ନ ହୋଇ ଅଧୀର ଧର ତୁ କଲମ ଅଭ୍ୟାସରେ ଯିବ ପଡି
ହେବ ଧାଡି ସିଧା ଅକ୍ଷର ସୁନ୍ଦର ଆଗକୁ ତୁ ଯିବୁ ମାଡି l
ମାଆ କଥା ମାନି ଧରିଲି କଲମ ଅତି ସରାଗରେ ନିତି
ବଦଳିଲା କ୍ରମେ ଅକ୍ଷର ଓ ଧାଡି ବଢିଲା ତା 'ପାଇଁ ପ୍ରୀତି l
