ସ୍ମୃତି ଚାରଣ
ସ୍ମୃତି ଚାରଣ
କବୀର ସାର ସଂସାରେ ନାମ, ବାକି ସମସ୍ତ ଜଞ୍ଜାଳ,
ଆଦି ଅନ୍ତରେ ନାମ ପ୍ରଥମ, ଦ୍ୱିତୀୟରେ ଦେଖ କାଳ ।
ତିନି ଲୋକରେ ରାମ ତିଳକ, ସବୁ ତିଳକଠୁ ସାର,
କବୀର ତାହା ମସ୍ତକେ ଦିଏ, ବଢେ଼ ଶୋଭା ଅପାର ।
ନେବୁ ଯଦି ନେ ହରିଙ୍କ ନାମ, ଦେଲେ ଦେ ତୁ ଅନ୍ନଦାନ,
ମୋକ୍ଷ ନିମନ୍ତେ ଆତ୍ମା ଅର୍ପଣ, ବୁଡ଼ିବାକୁ ଗର୍ବ ମାନ ।
ଦୁଃଖରେ ମନେ ପକାନ୍ତି ସବୁ, ସୁଖରେ ପକାଏ କିଏ,
ସୁଖରେ ମନେ ପକାଏ ଯିଏ, ଦୁଃଖ କାହିଁକି ତା ହୁଏ ।
ମାଳା ଗଡ଼ାଏ ହାତରେ ଧରି, ଜିଭ ବୁଲୁଥାଏ ମୁହେଁ,
ମନଟି ବୁଲେ ସାରା ସଂସାରେ, ସ୍ମରଣ ଇଏ ତ ନୁହେଁ ।
ମାଳା ଗଡେ଼ଇ ଯୁଗ ବିତିଲା, ଗଲାନି ମନର ଗଡ଼ା,
ହାତ ମାଳାକୁ ନିକ୍ଷେପ କରି, ମନ ମାଳା କରି ଗଡ଼ା ।
ଜାଠରେ ମାଳା ତିଆରି ହୁଏ, ତା ମଝିରେ ଲାଗେ ସୁତ୍ର,
ମାଳା ବିଚରା କର୍ତ୍ତବ୍ୟ ହୀନ, ଜପିବା ବାଲା କୁପୁତ୍ର ।
କବୀର ଶୋଇ ସମୟ ନଷ୍ଟ, ଜପୁନାହୁଁ କିଂପା ହରି,
ଆସିବ ଦିନ ଥିବୁ ନିଦ୍ରାରେ, ହାତ ଗୋଡ଼ ଲମ୍ବା କରି ।
ନାମ କୀର୍ତ୍ତନ କଳି ଯୁଗରେ, ଭବ ସାଗରର ନାବ,
କହେ କବୀର ମୋକ୍ଷ ନିମନ୍ତେ, ଅନ୍ୟ ଉପାୟ ଅଭାବ ।
