ସମ୍ପର୍କର ସ୍ବର
ସମ୍ପର୍କର ସ୍ବର
ତୁମ ଓ ମୋ ଭିତରେ ସମ୍ପର୍କ,
କେହି ଜାଣୁ ବା ନ ଜାଣୁ,
ତୁମେ ତ ଜାଣିଛ ନିଶ୍ଚୟ,
ଜାଣିଛ ବୋଲିତ ଥପ ଥପ ଲୁହ,
ନିଗିଡି ପଡୁଛି ମୋ ଆଖିରୁ,
ପାଦ ତଳ ମାଟି ଭିଜାଭିଜା,
ଖସିପଡୁଛି ଆକାଶ,
ଭାଙ୍ଗିପଡୁଛି ପାହାଡ,
ମୋ ଅଜଣାତରେ ।।
ପବନଟା ଚଗଲା ଲାଗୁଛି,
ସମ୍ପର୍କର ଋତୁ ବଦଳୁଛି,
କେହି କିଏ ଜାଣିବା ଆଗରୁ,
ସୁନାମୀଟା ଆସିବା ପୂର୍ବରୁ,
ଚାଲ ଆମେ ଡେଇଁ ଯିବା ସାତ ସିନ୍ଧୁ,
ଅକାତ କାତ ପାଣି,
ଗଢିଦେବା ସମ୍ପର୍କର,
ନୂଆ ଏକ ସେତୁ,
ବିଶ୍ବାସର ତୂଳିରେ,
ହୃଦୟର କାନଭାସ୍ରେ,
ଆଙ୍କିଦେବା ନୂଆ ଛବିଟିଏ ।।
ଦେଇଥିବା ରେଶମୀ ରୁମାଲଟା,
ଆଜି ବି ବାସୁଛି ମହମହ,
ତମ ଗୋଲାପୀ ଚିଠିର ବାସ୍ନା,
ଆଜିବି ସତେଜ,
ଅତର ବୋଳା ନୀଳ ଲଫାପା ଗୁଡିକ,
ଆଜିବି ଜୀବନ୍ତ ଚଳଚଞ୍ଚଳ,
ଧ୍ୟାନମଗ୍ନ ହୋଇଯାଏ କ୍ଷଣେ,
ସ୍ବପ୍ନସିକ୍ତ ହୁଏ ବାରମ୍ବାର,
ଯେବେ ଶୁଣେ ତୁମ କଣ୍ଠ ସ୍ବର,
କେଉଁ ଏକ ନିଝୁମ୍ ରାତିରେ ।।
ଚାଲ ଚାଲିଯିଡା ଡେଇଁ,
ସାତ ଦରିଆ ତେର ନଈ,
ନିର୍ଜନତାର ସୁରେ ସୁର,
ପୁନଶ୍ଚ ଗଢିବା ସମ୍ପର୍କର ମହଲଟିଏ,
କେଉଁ ଏକ କୁହୁକ ଦ୍ବୀପରେ ,
ଫୁଟୁଥିବ କେତେ ଜାତି ଫୁଲ,
ବାସୁଥିବ ମହମହ ସକାଳରୁ ସଞ୍ଜ,
ଖେଳୁଥିବ ଦୋଳି ପାର୍ବଣର ଋତୁ,
ପ୍ରକୃତି କୋଳରେ ।।
×××××××××××××××××
ଶରତ କୁମାର ଦାସ।
