ସମ୍ଭାବନାର ସ୍ୱର
ସମ୍ଭାବନାର ସ୍ୱର


ଆଧୁନିକତା ର ଦ୍ୱାହି ଦେଇ
ତୀବ୍ର ଗତିରେ ମଣିଷ ଛୁଟି ଚାଲିଛି ଆଜି
ଆଲୋକିତ ଅନ୍ଧାର ଆଡ଼କୁ,
ଯେଉଁଠି ଦ୍ରୃଷ୍ଟିଶକ୍ତି ଲୋପପାଏ ସହସ୍ରାଂଶୁର ପ୍ରଚଣ୍ଡ ତେଜରେ।
ଯେଉଁଠି ନାହିଁ ବିଶ୍ୱାସ ର ପୀୟୁଷ,
ଯେଉଁଠି ନାହିଁ ବି ଆହ୍ଲାଦର ଆଶ୍ଲେଷ।।
ଅବିଶ୍ୱାସ ର ଜୁଆର ରେ
ବିଲୁପ୍ତ ଏବେ ଈଶ୍ୱରବାଦର ଅସ୍ତିତ୍ବ।
ଆରୋହଣ ର ସର୍ବୋଚ୍ଚ ଶିଖର ରେ
ପାଦ ଥାପିବା ପରେ, ଯଦିଓ ଗତିଶୀଳତା ପାଇଁ
ଅବତରଣ ହିଁ ଏକମାତ୍ର ପନ୍ଥା, ତଥାପି
ଉଦ୍ଭାବନ ଓ ଆବିଷ୍କାର ର ଅନ୍ତିମ ପର୍ଯ୍ୟାୟର
ପରବର୍ତ୍ତୀ ମୂହୁର୍ତ୍ତ ଗୁଡିକ ରେ
କେବଳ କ'ଣ ପ୍ରଳୟ ଓ ଧ୍ବଂସ ହିଁ ଅନିବାର୍ଯ୍ୟ ?
ଆକାଶର ସର୍ବୋଚ୍ଚ ପାହାଚ କୁ ଅତିକ୍ରମ କଲାପରେ
ମହାକାଶ ର ସ୍ନିଗ୍ଧତାକୁ ଆକଣ୍ଠ ପାନ କରି ନେବାର
ଆତ୍ମ ପ୍ରସାଦ କ'ଣ କମ୍ କି!
ମଣିଷ ସମାଜ ପାଇଁ ୟେ କ'ଣ ନୁହେଁ ଏକ ସମ୍ଭାବନା ର ସ୍ୱର ?