STORYMIRROR

Satyabati Swain

Others

3  

Satyabati Swain

Others

ସ୍ମାର୍ଟ ଶୀତ

ସ୍ମାର୍ଟ ଶୀତ

2 mins
554


ମୋ ବୁଢ଼ା ବା ପେଜୁଆ ଆଖିରେ

ଶୀତ ଥୁରୁ ଥୁରୁ ହେଉଛି

ବୁଢ଼ୀ ବୋଉର ପାକୁଆ ପାଟିଟି

ଅଧ କଂସେ ନାଲି ଚା ଚାହୁଁଛି

ଜାଡ ମାଡ଼ ସହି ନପାରି ଗୁରେଇମା

ରାତିରୁ ମରି ଶୋଇଛି

ବାସି ମଢ଼ା ହୋଇଯାଛି

ମିତ ଲୋ

ଆମ ଜୀବନକୁ ଶୀତ ପା ଆଇଚି।।

ସପନା ଦାଦା ମୋ କୁହୁଡ଼ିରେ ଓଦା

ଶୀତ ତାକୁ କେବଳ ହିଁ ଡରିଛି

ପୁରୁବେ ସୂରୁଜ ଉଦେ ହେଉକି ନହେଉ

ଦାଦା ମୋ ଧାନ କ୍ଷେତେ ଦୁଉଚି

ଖୁଡି ହାତକରା ବାସୀ ଚକୁଳି ବିଲରେ

ଧାନ ପାହି ପରେ ବସି ଖାଉଛି

ମୁଁ ଅର୍ଦ୍ଧ ଶିକ୍ଷିତ ଅଳସୁଆ ହୋଇ

କମ୍ବଳେ ଉଷୁମ ଟାଣୁଛି

ମୋତେ ଶୀତ ବାଘ ହୋଇ ଡରାଉଛି।।

ବାବୁନା ଭାଇ ଛକରେ ବେଳବୁଡ଼େ

ବାଦାମ ଦୋକାନ ମେଲିଛି

ଧୂନି ଜାଳି ଦେଇ କାମିକା ମଣିଷ

ହାତ ଗୋଡ଼ ଟିକେ ସେକୁଛି

ଗଞ୍ଜେଇ ଧୂଆଁ ନାଲି ପାଣି ଯାଦୁ

ଛକରେ ଭଲ ଜମୁଛି

ପାଦ ଟଳମଳ କରୁଛି

ଦିନସାରା ମେହେନତ ଟଙ୍କା

ବାଏଁ ବାଏଁ ଉଡି ଯାଉଛି।।

ବୋଉ ଲିପିପୋଛି ଘରଦ୍ୱାର ଖଳା

ଭଳିକି ଭଳି ଝୋଟି ଆଙ୍କିଛି

ବରଷକେ ଥରେ ମାଣ ଧୋଇ ଧାଇ

ଖଟୁଲିରେ ମା ଲକ୍ଷ୍ମୀଙ୍କୁ ପୂଜୁଛି

ମାଣ ବସା ଓଷା କରିଛି

ନମସ୍ତେ କମଳା କହୁଛି

ଗଣ୍ଡେ ଖଣ୍ଡେ ତାର ଅଭାବ ନ ରହୁ

ଏତିକି ମାଗୁଣି କରୁଛି

ମା ପାଦ ତଳେ ମୁଣ୍ଡିଆ ମାରୁଛି।।

ବିଟ୍, କୋବି,ମୂଳା, ବିନସ୍, ଗାଜରେ

ନଈ ପଠା ଖିଲି ଖିଲି ହସୁଛି

ପିଆଜ ସଣ୍ଢା,ବିଲାତି,ମଟର ଛୁଇଁ

ମୁହେଁ ଖୁସି ଛାପି ହୋଇଛି

ସୋରିଷ ଫୁଲ ଓଡିଶୀ ନାଚି

ଶୀତକୁ ସ୍ୱାଗତ କରୁଛି

ଆଳୁ କିଆରୀରେ କୋଶଳା,ବଥୂଆ

ଛତୁପରି ଉଠିଯାଇଛି

ଶାଗ ଭଜା ଭାରି ସୁଆଦିଆ ଆହା ଲାଗୁଛି।।

ସଜ ବାଜ ହୋଇ ଫୁଲେଇ ଗେଣ୍ଡୁ

ବାଡ଼ି ବଗିଚାରେ ବୁଲୁଛି

ଖିଲି ଖିଲି ହସ ହସୁଛି

କୁଆଁରୀ ପରାଏ ପରଜାପତିକୁ

ଆଖିରେ ଇସାରା କରୁଛି

ଧନିଆଁ ପତର ଚଟଣି ଟାକରା

ଆହା କି ସୁଆଦ ଲାଗୁଛି

ସନା ବଡ ବାପା ବତୁରା ଜମିରେ

ମୁଗ ବିରି ବୁଣି ଦେଉଛି।।

କୁନାଟା ଆମର ଜିଗର କରୁକି

ପିକନିକ ଯିବ କହୁଛି

ବଣଭୋଜି ମଜା ଗାଁ ଠୁ ସହର

ସଭିଙ୍କୁ ବାଇଆ କରିଛି

କାଁ ଭାଁଯାତ୍ରା, ବୁଡ଼ର ଆସର

ଶୀତରେ ଡେରା ମେଲିଛି

ବୁଡି ବୁଡି ଯାଏ ଗାଉଁଳି ଚଳଣି

ସହର ଆମ ଗାଁରେ ଧସେଇ ପଶିଛି

ପ୍ରଥା ପରମ୍ପରା ଚୁଲିକୁ ଦିନୁ ଦିନୁ ଯାଉଛି।।

ବେବିନା, ଇତିଶ୍ରୀ, ସସ୍ମିତା, ନିକିତା

ଚିତ୍କାର ପାଶବିକ ଶୀତେ ହଜିଛି

ପ୍ରକୃତି ଶୀତ ଦେହକୁ ସିନା ଲାଗେ

ଦୁଷ୍କର୍ମ ଶୀତ କଅଁଳ ଜୀବନ ଖାଉଛି

କୋମାରେ ଥିବା ମହିଳା ପା ଏବେ

ଧର୍ଷଣେ ସନ୍ତାନ ପ୍ରସବ କରୁଛି

ଏମିତି କେମିତି ଅବିବେକି କହ

ଶ୍ରେଷ୍ଠ ସୃଷ୍ଟି ମଣିଷଟି ହେଉଛି

ସ୍ମାର୍ଟ ଶୀତ ର ସ୍ମାର୍ଟ ଭୟ ଛାତି ଦୁଲୁକେଇ ଦେଉଛି।।

ସତ୍ୟବତୀ ସ୍ଵାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍