ସଳିଳବିନ୍ଦୁ
ସଳିଳବିନ୍ଦୁ
ମୃଦୁ ପବନେ ଝୁଲେ ସରସୀନୀର
ସରସୀନୀର ପରେ ପଦ୍ମପତର
ସେ ପଦ୍ମପତରରେ ତୁ ଢଳଢଳ
ସଳିଳବିନ୍ଦୁ ଦିଶୁ ସ୍ଵଚ୍ଛ ନିର୍ମଳ।
ନଭେ ଶୋଭିତ ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ
ବାରିଜପତ୍ରେ ଶୋଭା ତୁ ଜଳବିନ୍ଦୁ।
ରବିକର ପଡ଼ି ତୋ ହୃଦ-ମୁକୁରେ
ପ୍ରକାଶେ କି ସୁନ୍ଦର ବର୍ଣ୍ଣବିଭାରେ।
ସ୍ଵଚ୍ଛ ଓ ନିରିମଳ ତୋର ହୃଦୟ
ନିଷ୍ପାପ ଓ ସରଳ ଶିଶୁ ପରାୟ।
ଅମ୍ବୁଜପତ୍ରେ ରହି ନୋହୁ ତୁ ଲିପ୍ତ
ଭକ୍ତଜନ ସଂସାରେ ଯେହ୍ନେ ନିର୍ଲିପ୍ତ।
ଏ ବିଶାଳ ସଂସାରେ ନର ପରାୟେ
ଅନନ୍ତ କାଳବକ୍ଷେ ତୁ ବିନ୍ଦୁଟିଏ।
କାଳ-ବାତ ଆଘାତେ ମଣିଷ ପ୍ରାୟ
ଜଣାନାହିଁ କେବେ ତୁ ହେବୁ ବିଲୟ।
ଯେଣୁ ତୋ ଏ ଶରୀର କ୍ଷଣ ଭଙ୍ଗୁର
ଜାଣି ଏକଥା ନାହିଁ ଗରବ ତୋର।
ଜ୍ଞାନୀଜନ ପ୍ରାୟେ ତୋ ନିର୍ଲିପ୍ତ ମନ
ତେଣୁକି ଆନନ୍ଦରେ କାଟୁଛୁ ଦିନ ?
କିନ୍ତୁ ହାୟ ! ଏ ନର ଏହା ନ ଜାଣି
ଅନିତ୍ୟ ଶରୀରକୁ ନିତ୍ୟ ସେ ମଣି।
ଗରବେ ଏ ଧରାକୁ ସରା ମଣଇ
ବିଷୟେ ଲିପ୍ତ ହୋଇ ଦୁଃଖ ଭୋଗଇ।
ଆସକ୍ତି ଦୁଃଖ ହେତୁ ଏହା ନଜାଣି
ଏ ଭବେ ଦୁଃଖେ ବୃଥା ମରଇ ପ୍ରାଣୀ।
ଆସକ୍ତି-ବୀଜ ସଦା କରି ବପନ
ବାଳୁଙ୍ଗା ବୁଣିଲେ କି ଫଳିବ ଧାନ ?
ହେ ସଲିଳବିନ୍ଦୁ ! ତୋ ପରାୟେ ନର
ବୁଝନ୍ତା ଯେବେ ଦେହ କ୍ଷଣଭଙ୍ଗୁର।
ତୋହ ପରି ନିର୍ଲିପ୍ତ ହୋଇ ରହନ୍ତା
କେତେ ସୁଖେ ଭବେ ତା ଦିନ ଯାଆନ୍ତା !
