ସକାଳର ଅପେକ୍ଷା
ସକାଳର ଅପେକ୍ଷା
ବୟସ ଜମା ବେଶି ନୁହେଁ,
ପିଲେ କିନ୍ତୁ ବଡ ହେଲେଣି
ନା ଅଛି ମନର ପ୍ରଗଳ୍ଭତା
ନା ଅଛି ତାରାଫୁଲର ଜିଜ୍ଞାସା ।
ବୟସ ଯେବେ ଛଅ କି ସାତ ଥିଲା
କେତେ ସହଜରେ ପିଲେ
ସବୁ ବୁଝି ଯାଉଥିଲେ ।
କେଇପଦ କୃତ୍ରିମ କାହାଣୀ
ଅବା ଧୋରେ ବାୟା ଧୋ ଗୀତରେ
ସେମାନଙ୍କ ବ୍ୟଗ୍ର ସରଳତା
ଦୂରେଇ ଦେଉଥିଲା
ସନ୍ଦେହର ଆବରଣକୁ ।
ସ୍ବଚ୍ଛ ମୁହଁ
ନିର୍ମଳ ହସ
ସ୍ନେହଫୁଲ ମହକରେ
ସୁରଭିତ ହେଉଥିଲା
ଘର ଅଗଣା ।
ମା"ର କୋଳ ଥିଲା
ବିଶ୍ବସ୍ତ ପୃଥିବୀ ।
ବାପା ଥିଲେ ଏକ ମାତ୍ର
ସଫଳତାର ଆତ୍ମ ପ୍ରତ୍ୟୟ।
ଦୁଃଖରେ ସୁଖରେ
ସ୍ନେହ ରେ ପ୍ରେମରେ
ବିପଦରେ ସମ୍ପଦରେ ,
ସ୍ବାର୍ଥରତାର ବନ୍ଧନରୁ
ନିଜକୁ ମୁକୁଳେଇ,
ଛାଇ ଭଳି ପାଶେ ରହି
କେତେ ପ୍ରଣତି ବାଢିଛି
ତା ପିଲାଙ୍କ ପାଇଁ ।
ସମୟ ବିତିଛି ,
ହାତମୁଠାରୁ
ବହୁତ କିଛି ହୁଗୁଳିଛି,
ପିଲେ କିନ୍ତୁ ହେଲେଣି ସ୍ବୟଂସମ୍ପୂର୍ଣ୍ଣ ,
ହାତଧରି ଚାଲୁଥିବା
କଅଁଳା ପିଲା ନୁହଁନ୍ତି ସେମାନେ ।
ସମସ୍ତଙ୍କ ଅଜାଣତରେ
ଛଳନା ପ୍ରତାରଣା
ଅହଙ୍କାର ପ୍ରବଞ୍ଚନା
ବସା ବାନ୍ଧିଲାଣି କେବେଠୁଁ ।
ଦିଅଁ ଗଢିବା ଲାଗି
ସ୍ବପ୍ନ ଦେଖୁଥିବା ମଣିଷ ର
ବିଶ୍ବାସ ଭାଙ୍ଗି ଯାଇଛି,
ବହୁ ପ୍ରତିବାଦରେ
କେତେ ଆଘାତ ଖାଇଛି ,
ପ୍ରତି ବିରୋଧାଦ୍ଭାସରେ
ଯୁଦ୍ଧଂ ଦେହି ଡାକରାକୁ
ସାମ୍ନା କରିଛି ।
ରୂପ ଗୁଣ
ଚାଲି ଚଳଣ
ସବୁ ଅସହ୍ୟ ହେଉଛି ,
ସେମାନଙ୍କ ଶବ୍ଦ ବାଣ
କେତେବାର କ୍ଷତାକ୍ତ କରିଛି ,
ସବୁ ସରଳ ଜଟିଳ ଲାଗୁଛି
ସ୍ବଚ୍ଛ ଆକାଶରେ ଝଡ ଉଠୁଛି
ପୂର୍ଣ୍ଣିମାର ଚାନ୍ଦକୁ କାଳ ଗ୍ରାସୁଛି
ଅସହାୟ ମଣିଷ ଟି
ଅନ୍ଧକାରର ଛାତିଚିରି
ସୂର୍ଯ୍ୟୋଦୟକୁ ଅପେକ୍ଷା ରଖିଛି ।
----------------
