ସିଂହାସନ
ସିଂହାସନ
ଏକାଙ୍ଗୀ ଚକ୍ରବର୍ତ୍ତୀ ରାଜା ମୁଁ
ଅଦ୍ଵିତୀୟ ଅକ୍ଷୟ ଅପରାଜିତ
ସାଥେ ମୋ ବିଶାଳ ସୈନ୍ୟ ହାତୀ ଘୋଡା
ମନ୍ତ୍ରୀ ସେନାପତି ରାଜ ପାରିଷଦ
ଗର୍ବେ ଫାଟିପଡେ ସଦା ମୋ ମନ ।
ବାହ୍ୟଶତ୍ରୁ ପ୍ରବେଶିବେ ମୋ ସାମ୍ରାଜ୍ୟେ ଯେବେ
ଚତୁରତାର ସହ କଳେବଳେ କଉଶଳେ
ପ୍ରତିହତ କରିବି ମୁଁ ଲଢାଇ ସୈନ୍ୟସାମନ୍ତ
ସାମ୍ରାଜ୍ୟ ଲମ୍ବିଛି ମାଟିରୁ ଆକାଶ ଯାଏଁ
ଛାଡିବିନି ବିନା ଯୁଦ୍ଧେ ଇଞ୍ଚେ ଭୂମି ଜାଣ ।
ଲହୁଲୁହାଣରେ ସମୟତକ ସବୁ ସରିଯାଏ
ରକ୍ତର ନଈରେ ବୁଡ ପକାଇ
ସକାଳର ଶଙ୍ଖଧ୍ଵନୀକୁ ଅପେକ୍ଷା
ପ୍ରସ୍ତୁତ ହେବାକୁ ଆଉ ଗୋଟେ ଯୁଦ୍ଧ ପାଇଁ
ଆର ପାରିରୁ ଡାକରା ଆସେ ସମୟର ।
ଇଞ୍ଚେ ଭୂମିପାଇଁ ମହାଭାରତ
ରକ୍ତପାତ କଥା ଭାବିଲେ ହସ ଲାଗେ
କ'ଣ ଦରକାର ଥିଲା ଏସବୁର
ଗଡ ଜିଣିଵାଟା ସହଜ କଥା ନୁହେଁ କେବେ
ପ୍ରତିଶ୍ରୁତି ଯେଉଁଠି ଖଣ୍ଡାର ଧାର
ମାନିବନି ସେ ସଂପର୍କ କାହାର
କିଏ ନିଜପର ଅବା ଲୋକ ଆପଣାର ।
ଚଳଚଞ୍ଚଳ ସଦା ମୋ ସାମ୍ରାଜ୍ୟ
ସୈନ୍ୟମାନେ ପରାଜିତ ହେଲେ ବି
ମୁଁ ଅପରାଜିତ ଅମର ଅକ୍ଷୟ
ପାରିବେନି କେହି ମୋତେ ମାରି
ନିଆଁ ପାଣି ଅସ୍ତ୍ରଶସ୍ତ୍ର ହସ୍ତୀ ଅଶ୍ଵ ସୈନିକ
ଯେତେ ଚେଷ୍ଟା ସବୁ ହେବ ବିଫଳ ।
ସବୁ ରାଜପାରିଷଦ ନିହତ ପରେ
ମୁଁ ଭାବୁଥାଏ ବସି ଏ ଦେହ ସିଂହାସନର କଥା
ମହମ ଭଳି ତରଳିଯାଉଛି ଦିନକୁ ଦିନ
ଅହଂକାରର ନିଆଁ ଧାସରେ
ସବୁ ଗଲାପରେ ବିଜୟର ଟୀକା
ପିନ୍ଧିବାଟା କିଏ ବା ଦେଖିବ
ଜୟ ଜୟଗାନ କରିବ
ସାର୍ଥକ ହେବନି ମୋର କୌଶଳ ।
ରାଜା ନ ଥିଲେ ସିଂହାସନ ଲାଗେନି ସୁନ୍ଦର
ରାଜକୀୟ ପୋଷାକେ ଚକମକ୍ ବେଶେ
ସୁଶୋଭିତ ଚନ୍ଦନ ଚର୍ଚ୍ଚିତ ପୁଷ୍ପ ବିରାଜିତ
ଜୟଜୟକାରେ ଫାଟିପଡୁଥିବ ସାମ୍ରାଜ୍ୟଟା ତାର ।
ଏକା ଏକା ବଞ୍ଚିବାଟା ଭାରି ବୋର ମୋ ପାଇଁ
ସମସ୍ତଙ୍କୁ ହରାଇ ଗଡ ଜିଣିବାର
ଆନନ୍ଦ ନଥାଏ କେବେ
ଚଳଚଞ୍ଚଳ ଖୁସିର ଆଲୋକେ
ଲୋଡାହୁଏ ରତ୍ନସିଂହାସନଟିଏ
ବସି ରାଜଦଣ୍ଡ ଧରି ଶାସନ କରିବାକୁ
ମନ କୁହେ ଯେମିତି ସମସ୍ତଙ୍କର ।
