ସିନ୍ଦୂର
ସିନ୍ଦୂର
ସିନ୍ଦୂର ତୁ ମୋର ପ୍ରାପ୍ୟ ଅଧିକାର
ମୁଁ ପରା ସଧବା ନାରୀ ,
ସାଧ୍ବୀ ସୀମନ୍ତିନୀ ନ୍ୟାସର ତଟିନୀ
ତ୍ୟାଗ ପରିପ୍ଳୁତା ପରୀ ।
ତନ୍ବଙ୍ଗୀ,ତପତୀ ସହଚରୀ ସାଥୀ
ମନ ମୋ' ଦ୍ୟୂତପୂର୍ଣିମା,
ତୋ' ଶ୍ଳୀଳ ପରଶେ ମୋ' ସୀମନ୍ତ ହସେ
ତପସ୍ୱିନୀ ତନ୍ନିମଗ୍ନା ।
ଓଡିଶା ମାଟିର ପରମ୍ପରାପୁଷ୍ଟ
ସୁକନ୍ୟା ତ୍ୱଚିସୁଗନ୍ଧା,
ମାଟିର ମହକେ ହୃଦୟରେ ଆଙ୍କେ
କଳ୍ପନାର ଅଶ୍ୱଗନ୍ଧା ।
ଓଡିଶା କାହିଁକି ଆର୍ଯ୍ୟ ଭାରତ ବି
ସିନ୍ଦୂର ପାଇଁ ସମ୍ମାନ,
ଦେଇ ଚାଲିଅଛି ଦେଇ ଚାଲିଥିବ
ବଢ଼ାଇ ନାରୀର ମାନ ।
ସିନ୍ଦୂର ଲୋ ! ତୁ ତ ପ୍ରେମପ୍ରଣୋଦିତା
ପ୍ରଣୟିନୀ ପ୍ରତିବିମ୍ବ,
ତୋତେ ନେଇ ନାରୀ ସୌଭାଗ୍ୟ ଶାଳିନୀ
ତୁ ତା' ଭାଗ୍ୟ ଧ୍ରୁବପଦ ।
ମାନମୟୀ ମୁଁ ଯେ ବାଲ୍ୟ ଅଭିମାନୀ
ରକ୍ତ ମୋର ସତ୍ୟ କୁହେ,
ଶଙ୍ଖା ସିନ୍ଦୂରକୁ ସ୍ୱାଗତି ସ୍ୱାଗତି
ସତୀତ୍ୱ ସଙ୍ଗୀତ ଗାଏ ।
ସେଇ ସଙ୍ଗୀତରେ ସୁର ଓ ଲୟରେ
ସପ୍ତ ତାଳର ଦୁନ୍ଦୁଭି,
ସୁର ତୋଳିଚାଲେ ବହଳେ ବହଳେ
ଦେଇ ସପନ ସୁରଭି ।
ବିନ୍ଦୁଏ ସିନ୍ଦୂର ମୋ' ପାଇଁ ମହୁର,
ମରୁଦ୍ୟାନ ଚତୁର୍ମାସ୍ୟା,
ବିଦେଶିନୀ ନାରୀ ବୁଝି କି ପାରିବ
ଆର୍ଯ୍ୟନାରୀ ପରିଭାଷା ?
ସିନ୍ଦୂର ତୁ ସତେ ଏତେ ସୁକୁମାରୀ
ଅଳକାପୁରୀ ରାଗିଣୀ,
ରାଗିଣୀରେ ତୋର ଭରି ରହିଅଛି
ତ୍ୟଜନ,ନିଷ୍ଠା କାହାଣୀ ।
ଆର୍ଯ୍ୟ ଭାରତର ବୈଦିକ ଦ୍ୟୁଲୋକେ
ବୈଧବ୍ୟ ଯେ ଅଭିଶାପ,
ନିୟତିର ସିନା ପ୍ରପଞ୍ଚ ପ୍ରତ୍ୟର୍ଥ
"ବିଧବା" ଆଖ୍ୟା ହିଁ ପାପ !!
ଦେ ଲୋ ସିନ୍ଦୂର ତୋ' ଅଭିଧାନରୁ
ବୈଧବ୍ୟର ପ୍ରତିଶବ୍ଦ,
ଯେଉଁଥିରେ ଥିବ ନାରୀର ସମ୍ମାନ
ସୁରଭିତ ଧ୍ରୁବପଦ ।
ସୁରଭିତ ହେଉ ସୁଲଳିତ ହେଉ
ବିଧାତାଙ୍କ ସମ୍ବିଧାନ,
ତୁ ନିଜେ ନାରୀଙ୍କ ଭାଗ୍ୟ ତ୍ରସରେଣୁ
ସମ୍ମାନିତ ଅଭିଧାନ ।