ଶୂନ୍ୟ ମନ୍ଦିରର ଦେବତା
ଶୂନ୍ୟ ମନ୍ଦିରର ଦେବତା
ଆଖି ମୋର ଆଜି ଲୁହର ସାଗର
ଉଠୁଛି ଯେଉଁଠି ସ୍ମୃତିର ଢେଉ
ଛାତି ତଳେ ମୋର ଦୁଃଖର କଳିକା
ଫୁଟି ଝରାଏନି ପୀରତି ମହୁ I
ଭଙ୍ଗାପକ୍ଷୀ ନେଇ କେଉଁଠି ଉଡିବି
ଖୋଜିବି ଚନ୍ଦ୍ରିକା ମୟୂର ଚୂଳ
ବଂଶୀର ଠିକଣା ଖୋଜିବି କିମ୍ପାଇଁ
ମେଘ ରାଇଜରେ ତୋଳିବି ଘର I
ହଜାଇ ଦେଇଛି ଯେତେ ସବୁ ସୁଖ
ଆଖି ଲୁହ ମୋର ପିଉଛି ଓଠ
ପ୍ରୀତିର ଶେଫାଳୀ ଝଡି ଝଡି ଯାଏ
ମନ ଭୁଲିଲାଣି ପୀରତି ପାଠ I
ପ୍ରିୟତମା ଦେହୁ ବସନ୍ତ ହଜିନି
ମୋ ମନୁ ସରାଗ ଯାଇଛି ଧୋଇ
ଅଧର ଫାଙ୍କୁ ମୋ ହସ ଚହଟୁନି
ଆଖିର କଜ୍ଜଳେ ଚମକ ନାହିଁ I
କୃଷ୍ଣଚୂଡା ନାଲି ଫିକା ଦିଶିଲାଣି
ହଜିଛି ପିକର ମଧୁର ସ୍ୱର
କେଉଁଠି ହଜିଲା ପ୍ରୀତିରଙ୍ଗା ମନ
ମଳୟ ପବନ ହୋଇଛି ସ୍ଥିର I
ଦେବତା ଛାଡୁଛି ଦେହର ଦେଉଳ
ଆସ୍ଥାନ ତାହାର ପଡିଛି ଖାଲି
ପ୍ରୀତିର ସାଗର ତଟଦେଶେ କିଆଁ
ଦିଶେ ମରୁଭୂମି ତତଲା ବାଲି I
