ଶୁଣ ମୋ ଗୁହାରୀ
ଶୁଣ ମୋ ଗୁହାରୀ
ଆହେ ପ୍ରଭୁ ଚକ୍ରଧାରୀ ନୀଳାଦ୍ରି ବିହାରୀ
କେତେ ଦିନ ଦେବ ଆଉ କରୋନା ଲହରୀ
କୋରୋନାର ଦୁଃଖଭାର ହେଲାଣି ଦାରୁଣ
ବିଜ୍ଞାନବି ପାଉନାହିଁ ବିଜ୍ଞାନେ ନିଦାନ ।
ତୁମେ ହର୍ତ୍ତାକର୍ତ୍ତା ବୋଲି କହୁଛି ବିଧାତା
ତୁମେ ନଶୁଣିଲେ ପ୍ରଭୁ କିଏ ଦେବ ଆସ୍ଥା
ତୁମେ ଅଟ ସର୍ବଷୌଧି ରୋଗ ବ୍ୟାଧିହାରି
ତୁମେ ପ୍ରଭୁ ଜଗତର ଅମଙ୍ଗଳହାରୀ ।
ନିର୍ଦ୍ଦୟ ଦାନବ ପରି କରେ ଗରାସନା
ପ୍ରତିଟି ହୃଦୟେ ଭୟ କରୋନା କରୋନା
ମାଡି ଆସେ ଜିହ୍ଵା ମେଲି ପାଟିକୁ ମେଲାଇ
ସତେ କି ଗିଳିବ ସବୁ ଦୟାମାୟା ନାହିଁ ।
ଏ ବିଶ୍ୱ ଜଗତ ଆଜି ଯିବ ବୋଲି ହାରି
ନିଅ ପ୍ରଭୁ ଶରଣରେ ନୀଳାଦ୍ରିବିହାରୀ
ପ୍ରକୃତିକୁ ବୁଝିଲାନି ଏ ମୂଢ଼ ମଣିଷ
ନିଜ ସ୍ୱାର୍ଥ ପାଇଁ ନିଜେ ହୋଇଗଲା ବଶ ।
ଖେଳିଲା ସେ ଖେଳ କେତେ ତା ବୁଦ୍ଧି ବଳରେ
ପ୍ରକୃତିକୁ ଅନାଦର କଲା ତା ଖୁସିରେ
ଅକାରଣେ ଖେଳ ଖେଳି କେତେ ପ୍ରାଣ ନେଲା
ଅଜାଣତେ ବିନାଶକୁ ନିଜେ ଡାକି ନେଲା ।
ଅସହାୟ ଏବେ ପ୍ରଭୁ ମାଗୁଛି ଶରଣ
କ୍ଷମାକର ଦୋଷ ତାର କରନି ବାରଣ
ମାନବ ତା ଅମାନବ ବୁଝିଲାଣି ଏବେ
ରଖିବ ସେ ଦୟା ଧର୍ମ ପ୍ରକୃତି ପ୍ରଜୀବେ ।
ଆହେ ପ୍ରଭୁ ନାରାୟଣ ନମଇଁ ଚରଣ
କରୋନାର କବଳରୁ କର ପରିତ୍ରାଣ
କର ନାହିଁ ନିରାଶ୍ରୟ ନହୁଅ ଦାରୁଣ
ଅଶରଣ ହେଲେ ପ୍ରଭୁ ହେବ କି ନିଦାନ ।
