ଶୁଭାଶିଷ
ଶୁଭାଶିଷ
ଉଦିତ ସୂର୍ଯ୍ୟକୁ ତର୍ପଣ କରି ମୁଁ
ଭିଜୁଅଛି ଆଖି ନୀରେ
ତୋ ସତ୍ୟ ପ୍ରଦୀପ ତୋ ଜୀବନ ପଥେ
ଜଳିଉଠୁ ଗାରିମାରେ ।
ମନରୁ ତୋହର ସନ୍ତାପ ଲିଭୁନି
ସକଳ ଯାତନା ସହି
ତୋ ଭାଗ୍ୟ ପଥରେ ଦୁଃଖ ଝଞ୍ଜା ଝଡ଼
ଆସିଯାଏ ରହିରହି ।
ସୁସ୍ଥ ମନରେ ତୁ ଏକାଗ୍ରତା କଲେ
ଅନ୍ଧାର ବି ଯିବ ହୁଡ଼ି
ଅମୃତର ପଥ ବାଟ କଢ଼େଇବ
ଘେନି ନୂଆ ଆଶାବାଡ଼ି ।
ତୋ ଚଲା ପଥରେ କେବଳ ଅମୃତ
ସଭିଙ୍କୁ ଦେଇଛୁ ବାଢ଼ି
ଅଭିମନ୍ୟୁ ପରି ରଣ ଝଙ୍କାରରେ
ଆଗକୁ ଯାଇଛୁ ମାଡ଼ି ।
ସାଗର ପରି ତୋ ବିଶାଳ ହୃଦୟ
ଅଶାନ୍ତ କେବେ ନୋହିବୁ
ଆଶା ନିରାଶାର ଦୋଛକି ପଥରେ
ଲକ୍ଷ୍ୟପଥ ଜିତିଯିବୁ ।
ମାତା ଆଶୀର୍ବାଦ ଅନ୍ୟଥା ନୋହିବ
ଆଲୋକକୁ ବାଣ୍ଟୁଥିବୁ
କର୍ମ ସର୍ବୋତ୍କୃଷ୍ଟ ସାଧନା ବଳରେ
ସୌଭାଗ୍ୟକୁ ପ୍ରାପ୍ତି ହେବୁ ।
ସତ୍ୟ ଓ ସୁନ୍ଦର ତୋର ଓଠ ଧାରେ
ହସିବି ଉଠିବ ଧରା
ତୋର ଅଭିଳାଷ ନିଶ୍ଚେ ପୁରା ହେବ
ମାତା ଆଶୀର୍ବାଦେ ପରା ।
ଅରକ୍ଷ ରକ୍ଷଣୀ ମାଆ ଗୋ ଜନନୀ
ମାତାର ମାନ ରଖିବ
ବାଧା ବିଘ୍ନ ପଥ ପରିଷ୍କାର କରି
ଶୁଭାଶିଷ ଦେଉଥିବ ।
