ଶୁଆଟିଏ ମୁଁ ଶୁଆଟିଏ
ଶୁଆଟିଏ ମୁଁ ଶୁଆଟିଏ
ଶୁଆଟିଏ ମୁଁ ଶୁଆଟିଏ
ବଣ ମୂଲକର ପକ୍ଷୀଟିଏ ।
ମୁକ୍ତ ଆକାଶରେ ଘୂରି ବୁଲି
ଆନନ୍ଦ ସାଉଁଟେ ମୁଁ ଯେ ଖାଲି
ସବୁଜ ସୁନ୍ଦର ଜଙ୍ଗଲ ମୋ ଘର
ଖାଏ ଫଳ ଯାହା ମିଳିଥାଏ ।
ନିର୍ଦ୍ଦୟ ଶିକାରୀ ମୋତେ ଧରି
ହାଟ ବଜାରରେ ବିକ୍ରି କରି
ବଦଳାଇ ଦେଇ ମୋ ଘର ଠିକଣା
ଗୁଜୁରାଣ ତାର ମେଣ୍ଟିଥାଏ ।
ନର ସଂସ୍ପର୍ଶରେ ଆସି ମୁହିଁ
ଜ୍ଞାତୀ ପରିଜନେ ଭୁଲିଯାଇ
ମଣିଷ ପରିକା କଥାବାର୍ତ୍ତା କରି
ଶିଶୁ ଜନ ମନ ମୋହିନିଏ ।
ତଥାପି ମନେ ମୋ ଦୁଃଖ ଘୋର
ପଞ୍ଜୁରୀ ଭିତର ମୋର ଘର
ସ୍ଵାଧୀନତା ନାହିଁ ଏଠି ମୋ ନିଜର
ମୁକ୍ତ କେବେ ହେବି ଭାବୁଥାଏ ।
କୁନା ମୁନା ମୋର ଭାରି ସାଙ୍ଗ
କହନ୍ତି ଖେଳିବେ ମୋର ସଙ୍ଗ
ପଞ୍ଜୁରୀ ଦୁଆର ଖୋଲିଣ ଦିଅନ୍ତି
ମମତାଟି ମୋର ବଢ଼ିଯାଏ ।
ଆଜି ମୁଁ ଭାବୁଛି ଯିବି ଉଡ଼ି
କାଲି ମୋହ ମାୟା ଧରେ ଭିଡ଼ି
ଅଜବ ଏ ନର କି ଯାଦୁ ଜାଣିଛି
ନ ଦେଖିଲେ ତାକୁ ଝୁରୁ ଥାଏ ।
