STORYMIRROR

Bidyadhar Mantry

Children Stories Classics Others

4  

Bidyadhar Mantry

Children Stories Classics Others

ଶତକଡା ନବେ

ଶତକଡା ନବେ

2 mins
18


ଦଶମ ପରୀକ୍ଷା ଫଳାଫଳ ଜାଣି

ଖୁସି କହିଲେ ନ ସରେ

ଶତକଡା ନବେ ନମ୍ବର ରଖିଛି

କହିଲା ବାପା ଆଗରେ

ଖୁସି ଭାଗ ବାଣ୍ଟି ଦେବା ପାଇଁ ବାପା

ଧର୍ମ ପତ୍ନୀକୁ ଡାକିଲେ

ଡାକ ଶୁଣି ଛାଡ଼ି ରନ୍ଧା-ରନ୍ଧି କାମ

ପାଖକୁ ଧାଇଁ ଆସିଲେ

ଏହି ଦେଖ ଅଛି ନମ୍ବର ତାଲିକା 

ଶତକଡା ନବେ ଭାଗ

ଆମ ପୁଅ ଆଜି ଉତ୍ତୀର୍ଣ୍ଣ ହୋଇଛି

ମନ ମୋ ବଡ ସରାଗ

ବାପାଙ୍କର କଥା ଶୁଣି କହେ ପୁଅ

ମାଆ ପରା ଅଶିକ୍ଷିତ

ଶତକଡା କଥା କେମିତି ବୁଝିବ

ତୁମ କଥା ଆଚମ୍ବିତ


ମାଆ ହୃଦୟ ରେ ଆଘାତ ଲାଗିଲା

ରହିଲାନି ସେଠି ପୁଣି

ହସ ଲିଭିଗଲା ବାପାଙ୍କ ମୁଖରେ

ମାଆ ଅଶିକ୍ଷିତ ଶୁଣି

ପୁଅର ହାତକୁ ଧରି ଦୁଇ ହାତେ

ବସାଇ ନିଜ ପାଖରେ

ଅଶିକ୍ଷିତ ମାଆ କଥା ଶୁଣିବାକୁ

କହିଲେ ଲୁହ ଆଖିରେ

ମାଆର ଗର୍ଭରେ ଥିଲା ବେଳେ ତୁହି

କେତେ ନିୟମ ମାନିଛି 

ସୁସ୍ଥ ହୋଇ ତୁହି ଜନ୍ମ ହେବା ପାଇଁ

ସୁଷମ ଖାଦ୍ୟ ଖାଇଛି

ଜନ୍ମ ହେଲା ପରେ ପ୍ରତି ମୁହୂର୍ତ୍ତରେ

ଛାଇ ପରି ପାଖେ ରହି

ଟିକେ ଅବହେଳା ଆଦୌ କରିନାହିଁ

ନିଜ କଥା ଭୁଲି ଯାଇ

କଥା କହିବା ଆଉ ଚାଲି ଶିଖିବା

ମାଆ ର ହିଁ ଅବଦାନ

ଜନ୍ମ ଦେଇ ତୋତେ କେତେ ଖୁସି ଅଛି

ସହଜ ନୁହେଁ ବର୍ଣ୍ଣନ

ଆହୁରି ଅନେକ କଥା ଲୁପ୍ତ ଅଛି

ସବୁ ତୋହରି ହିତରେ

ସବୁ ଦିନ ଦିଅଁ ଦେବତା ପୂଜନ

ତୋର ପ୍ରଗତି ଆଶାରେ


ସକାଳୁ ସକାଳୁ ସ୍କୁଲ୍ ଗଲା ବେଳେ

ତୋ ପସନ୍ଦ ଜଳଖିଆ

ରାତି ନ ପାହୁଣୁ ମାଆ ହାତ ରନ୍ଧା

ତୋ ପାଖରେ ହୁଏ ଥୁଆ

ମୋ ପିଲା ପେଟ ଖାଲି ନ ରହୁ ଚିନ୍ତା

ମାଆ ଭାବେ ସବୁବେଳେ

ସେଥି ପାଇଁ ଠିକ୍ ସମୟରେ ଖାଦ୍ୟ

ପରଶେ ନିଜ ହାତରେ

ଜ୍ଵର ଅବା ଅନ୍ୟ କାରଣରୁ ଦେହ

ଯେବେ ଅସୁସ୍ଥ ହୁଅଇ

ଜଗି ରହି ପାଖେ ମନାସି ଦିଅଁଙ୍କୁ

ଅଖିଆ ଅପିଆ ରହି

ପଢା ବହି ଧରି ବସିଲେ ରାତିରେ

ମାଆ ଜଗି ଥାଏ ବସି

ବହି ପତ୍ର ଫିଙ୍ଗି ଶୋଇବାକୁ ଗଲେ

ମୁଣ୍ଡକୁ ଦିଏ ଆଉଁସି

ଆମର ଏ ମଧ୍ୟବିତ୍ତ ପରିବାର 

ଅଛି ଅନାଟନ ପ୍ରାୟ

ତଥାପି ସକଳ ସୁବିଧା ପାଇଛୁ

ଗହଣା ହୋଇ ବିକ୍ରୟ

ପର୍ବ ପର୍ବାଣୀରେ ନୂତନ ପୋଷାକ

ମାଆ ଜିଦ୍ କରି କିଣେ

ନିଜ ପାଇଁ ଲୁଗା ନୂଆ କିଣେ ନାହିଁ

ତୋ ପାଇଁ ଚିନ୍ତିତ ମନେ


ରୋଷେଇ କାମରେ ଦିନ ରାତି ବ୍ୟସ୍ତ

ବିଶ୍ରାମ ନାହିଁ ତାହାର

ନିଜ ଭଲ ମନ୍ଦ ରୁଚି ଓ ପସନ୍ଦ

କହେନି କାହା ଆଗର

ଏତେ ଅବଦାନ ମାଟିରେ ମିଶିଲା

ଅଶିକ୍ଷିତ ପଦ କହି

ଅଶିକ୍ଷିତ ମାଆ ଏତେ ଅବଦାନ

କରୁଅଛି କାହା ପାଇଁ !!!!


ବାପା କଥା ଶୁଣି କାନ୍ଦିଲା ପରାଣ

ଝରିଲା ଆଖିରୁ ଲୁହ

ମାଆ ଗୋଡ ତଳେ ପ୍ରଣିପାତ ହୋଇ

ଜଣାଇଲା ହୃଦ କୋହ

କ୍ଷମା କର ମାଆ,ଅଶିକ୍ଷିତ କହି

ଦେଇଛି ମନରେ ଦୁଃଖ

ଶତକଡା ନବେ ତୁମେ ହିଁ ରଖିଛ

ପାଠ ପଢି ମୁଁ ମୂରୁଖ

ପୁଅକୁ ଉଠାଇ ଛାତିରେ ଲଗାଇ

କାନ୍ଦି କହେ ମାଆ ଶୁଣ

ଅଶିକ୍ଷିତ ବୋଲି ଆଡେଇ ଦେବୁନି

ତୁହି ମୋ ଅଟୁ ଜୀବନ

ବାପା ମାଆ ପୁଅ କୋଳା-କୋଳି ହୋଇ

କାନ୍ଦିଲେ ଉଚ୍ଚ ସ୍ବରରେ

ମନ କଥା ଖୋଲି କହୁ ଥିଲା ପୁଅ

ଅନୁତପ୍ତ ହୃଦୟରେ

ବାପା ମାଆ ଚରଣ ଛୁଇଁ ଶପଥ 

କଲା ଶତକଡା ନବେ

ଅଶିକ୍ଷିତ କଥା ଆଦୌ କହିବନି

କାହାରିକୁ ହେଲେ କେବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍