ଶରତର କାଶତଣ୍ଡୀ
ଶରତର କାଶତଣ୍ଡୀ
ଧରଣୀ ରାଣୀର ସବୁଜିମା ରାଜି
ବିଦ୍ରୁପ କରଇ ଚାହିଁ ।
ଏକରଙ୍ଗୀ ବସ୍ତ୍ରେ ବସ୍ତ୍ରାବୃତା ମୁହିଁ
ମୋଠାରୁ ସୁନ୍ଦରୀ ନାହିଁ ।।
କାଶତଣ୍ଡୀ କାହିଁ ଚାହିଁଛୁ ମୋଆଡେ
ଶୁଭ୍ର ଶ୍ମଶ୍ରୁ ବୃଦ୍ଧ ବେଶେ ।
ଭୀତତ୍ରସ୍ତ ହୁଏ ତୋର ଚାହାଣୀରେ
ଦିଶୁ କାମୁକ ଆବେଶେ ।।
କାଶତଣ୍ଡୀ ଧୀର ଗଳାରେ କହଇ
ମୋପାଇଁ ଦିଶୁ ସୁନ୍ଦର ।
ବୃଦ୍ଧ ନଥିଲେ କି ତରୁଣ ସୁନ୍ଦର
ହୋଇଥାନ୍ତା ଏ ଧରାର ।।
ବିଲହୁଡା ପଠା ଗୋଚର ଆଦିରେ
ଜନ୍ମେ ମୁହିଁ ଧରଣୀରେ ।
ମୋର ଶୋଭାରାଜି ବିସ୍ମୃତ କରଇ
କବିଜନଙ୍କୁ ମହୀରେ ।।
ସେଥିପାଇଁ ପରା ମଧୁସୂଦନାଦି
ବହୁ କବି କବିତାରେ ।
ମୋର ଶୋଭାରାଜି ବର୍ଣ୍ଣନା କରିଲେ
ତାଙ୍କ ଲେଖନୀ ମୂନରେ ।।
ଶରତଟା ଆସେ ସରାଗ ମନରେ
ମୋତେ ପାଇବାକୁ କୋଳେ ।
ପୂର୍ଣ୍ଣିମା ଜହ୍ନର ଧବଳ କିରଣ
ହାରେ ମୋର ରଙ୍ଗ ଖେଳେ ।।
ସମୀର ମୋସାଥେ ଖେଳେ କେତେରଙ୍ଗେ
ମୃଦୁ ଚୁମ୍ବନ ସେ ଦିଏ ।
ତାର ଚୁମ୍ବନରେ ଶିହରଣେ ମୁହିଁ
ସରମରେ ନଇଁଯାଏ ।।
ସମୀର ମୋସାଥେ ରୁଷିଯାଏ ଯଦି
ମସ୍ତକ ମୁଁ ଟେକିଚାହେଁ ।
ଦେଖେ ଆକାଶର ଧଳା ବାଦଲଟା
ମୋ ରଙ୍ଗେ ଖତେଇ ହୁଏ ।।
ମୋର ଆଗମନେ ଶରତର କୋଳ
ଶୋଭାରେ ବର୍ଦ୍ଧିତ ହୁଏ ।
ଧରାବକ୍ଷେ ମାତୃଶକ୍ତି ଆବାହନ
ପାଇଁ ମୁଁ ସୂଚନା ଦିଏ ।।
ସହାୟତା ବିନା ମୋ ଶୋଭାରାଜିରେ
ଜନମନ ମୁହିଁ ମୋହେ ।
ନିଷ୍କାମ ଜନମ ମୋହର ଅଟଇ
ପରପାଇଁ ଜନ୍ମିଥାଏ ।।