ଶରଣ ନେଇଛି ପାଦ ତଳେ
ଶରଣ ନେଇଛି ପାଦ ତଳେ
ଦୁଃଖ ବିନାଶନ ନୁହେଁ କି କାରଣ
କାରଣ କି ଖୋଜ ମହୀତଳେ
ଦୁଷ୍ଟ ନିବାରଣ ବୋଲି ତୋ ଶରଣ
ଶରଣ ନେଇଛି ପାଦ ତଳେ ।
ତାରିଛ ସତ୍ୟରେ ମାରିଛ ତ୍ରେତାରେ
କେତେ ଲୀଳା କଲ ଦ୍ଵାପରରେ
ଶରଣ ରକ୍ଷକ ପାପ ବିଦାରକ
ନେତ ଉଡେ ତୁମ ଫର ଫରେ ।
ତୁମେ ଦାରୁଭୁତ ଜଗତ ବିଖ୍ୟାତ
ଜଗନ୍ନାଥ ନାମ ବୋହି ଧରେ
ଜଗତେ କରୁଣା ନୁହେଁ କି ପାଉଣା
ପାଇବାକୁ ଆମ ଜ୍ଞାନ ନେତ୍ରେ ।
ଅନାଥର ନାଥ ଆହେ ଜଗନ୍ନାଥ
ବସିଛ କାହିଁକି ନୀଳାଚଳେ
ଆସିବ ନାହିଁ କି ଲୀଳା ଖେଳା ପାଇଁ
ଦାରୁ ସମ ହେଲ ଦୁଃଖ ବେଳେ ।
ଜଗତ ତୁମର ଦାରୁଣ ଦୁଃଖରେ
ରହିଛ ବସି ବଡ ଦେଉଳେ
କି ହେଲା ତୁମର ହେଉଛ ନିଥର
ନିଦାନ କି ନାହିଁ ଏ ଶୟଳେ ।
ଗଜ କୁହାଟକୁ କୃଷ୍ଣା ନିବେଦନ
କରି ନାହଁ କେବେ ଅବହେଳେ
କିସ୍କିନ୍ଧ୍ୟାରେ ବାଳି ଲଙ୍କାରେ ରାବଣ
ଜଗତ ଉଦ୍ଧାର ତୋର ବେଳେ ।
କହ କଳିଯୁଗେ ଆସିବ କି ପ୍ରଭୁ
ଜଗତ ଦେଖିବ କେତେ ତଳେ
ଯୁଗର ସଂଭାରେ ବିଭବ ବିସ୍ତାରେ
ସତ୍ୟ ଲୁଚିଯାଏ ରସାତଳେ ।
ପ୍ରଶାନ୍ତ କୁମାର ହୋତା
