ଶ୍ରମିକ
ଶ୍ରମିକ
ଖଣି ଖାଦାନଠୁ କଳକାରଖାନା
ସମୁଦ୍ର, ପାହାଡ଼,ସରକାରୀ
ହୋଟେଲ,ଘରୋଇ ପ୍ରତିଷ୍ଠାନ ଯାଏ
ଶ୍ରମିକ ନିହାତି ଦରକାରୀ ।
ଅଖିଆ ଅପିଆ ପେଟକୁ ନଖାଇ
ଖଟୁଥାଏ ପରା ଦିନ ରାତି
ଟଙ୍କା କେଇଟାରେ ସଂସାର ଚଳାଏ
କିଏ ଅଛି କୁହ ତାର ସାଥି ।
ସବୁ ବାବୁଙ୍କର ସଂଗଠନ ଅଛି
ସରକାର ଶୁଣେ ତାଙ୍କ କଥା
ଗରିବ ଶ୍ରମିକ ସଂଗଠନ କଥା
ଫାଇଲ ଭିତରେ ହୁଏ ବନ୍ଧା ।
କୋଅଟ କଚେରୀ ନେତା ସାଉକାର
ସଭିଙ୍କର ଘରେ ଶ୍ରମିକଟି
ଖରାରେ ତରାରେ କାମ କରିଚାଲେ
କିଏସେ ବୁଝଇ ପାଉଣାଟି ।
ସଂଗଠନ ଟିଏ ଗଢ଼ଇ ଶ୍ରମିକ
ପ୍ରତିବାଦ କରେ ନିଜ ଦାବି,
ସଭିଙ୍କର ଏଠି ଆୟ ବଢ଼ୁଅଛି
ଆମ ପାଇଁ କିଆଁ ତାଲା ଚାବି ।
ଦେଶର ବିକାଶ ଶ୍ରମିକ ଝାଳରେ
ଗଢେ କୋଠାବାଡ଼ି କାରଖାନା
ନାହିଁ ଘର ବାଡ଼ି ନିଜ ପରିଚୟ
ପକା ଘର ଆଉ ପାଇଖାନା ।
ଅଫିସର ବାବୁ ଠିକାଦାର ଯାଏ
କିରାଣି ହିସାବ କସୁଥାଏ,
ଶ୍ରମିକର ନଥି ଆଲମାରୀ ଟିକୁ
କିରାଣିଟି ଦେଖି ହସୁଥାଏ ।
ଝୁମ୍ପୁଡି ଘରର ଡିବି ଆଲୁଅରେ
ଶ୍ରମିକର ଛୁଆ ସ୍ୱପ୍ନ ଦେଖେ
ରାସ୍ତା କଡର ଉଚ୍ଚା ଆଲୁଅରେ
ଭବିଷ୍ୟତ ବହି ଛବି ଦେଖେ ।
ପାଞ୍ଚ ବରଷରେ ସରକାରୀ ଦଳ
ଘରକୁ ଆସନ୍ତି ହାତ ଯୋଡି,
ମାଆ ମାଉସୀ ଙ୍କୁ ହାତ ଗୁଂଜା ସାଥେ
ଦିଅନ୍ତି ଖଣ୍ଡିଏ ନୂଆ ଶାଢ଼ୀ ।
ସେତିକିରେ ଆମ ପେଟ ପୁରି ଯାଏ
କିଏବା ବୁଝଇ ଭବିଷ୍ୟତ,
ଶ୍ରମିକର ଛୁଆ ଶ୍ରମିକ ପାଲଟେ
ନାହିଁ ମନେ ତାର ଅବଶୋଷ ।