ଶ୍ରୀରାଧା
ଶ୍ରୀରାଧା
ଅସରନ୍ତି ପ୍ରତୀକ୍ଷାରେ
ବିତିଯାଏ ଦିନ,ମାସ, ବର୍ଷ,
ସରିଯାଏ ଯୁଗ ପରେ ଯୁଗ,
କିନ୍ତୁ ଏ ଅଭାଗିନୀର କପାଳେ,
ଖାଲି ଦୁଃଖ ଆଉ ଦୁଃଖ।
କଦମ୍ବ ହୁଏ ପୁଷ୍ପବତୀ,
ଯମୁନା ଛାତିରେ ଜୁଆର ଉଠେ,
କିନ୍ତୁ ଶୁଭେନି ଆଉ ବଂଶୀର ସ୍ୱନ,
ଯାହା ପାଇଁ ପାଗଳୀ ରାଧିକା,
ଅନ୍ଧାର ରାତିରେ ଧାଇଁଯାଏ କଦମ୍ବ ବନକୁ,
ପଚାରେ ତମାଳ ଲତାକୁ,
କାହିଁଗଲେ ମୋର କାହ୍ନା ?
ସତେକି ସେ ଆଉ ଫେରିବେନି ଏ ଗୋପକୁ !
ହେ ମୋର ପ୍ରାଣର ସ୍ପନ୍ଦନ!
କଣ ଦୋଷ ଥିଲା ମୋର?
କେମିତି ଭୂଲିଗଲ ତୁମର ପ୍ରାଣପ୍ରିୟା ରାଧାକୁ?
ଦିନେ ନ ଦେଖିଲେ,
ତୁମ ବଂଶୀରେ ବାଜୁଥିଲା କରୁଣ ରାଗିଣୀ,
ମୋର ଟିକିଏ ଅଭିମାନରେ,
ତୁମ ଆଖିରୁ ଝରୁଥିଲା ଲୋତକର ବନ୍ୟା,
କିନ୍ତୁ ଆଜି କେମିତି ପାଶୋରିଲ?
ଆମ ପ୍ରେମ ଆଉ ପ୍ରଣୟର ମୁହୂର୍ତ୍ତ ମାନଙ୍କୁ।
ତୁମର ସବୁ ପ୍ରେମକୁ,
ଅଷ୍ଟପାଟବଂଶୀଙ୍କୁ ଭାଗ କରି ବାଣ୍ଟିଦେଲା ବେଳେ,
ଟିକେ ଭାବିଲନି ଏ ଦୁଃଖିନୀ କଥା?
କୋଟି ବସ୍ତ୍ର ଦେଇ ରକ୍ଷାକଲ,
ବନ୍ଧୁ ପତ୍ନୀ ଦ୍ରୌପଦୀଙ୍କ ଲଜ୍ଜା,
କିନ୍ତୁ ସଜେଇଲ ମୋତେ ଅଲାଜୁକୀ କରି,
ପିନ୍ଧେଇଲ ଅପବାଦର ଗହଣା।
ମୁଁ ସେଇ କଳଙ୍କିନୀର ପଶରା ବୋହି,
ବୁଲୁଛି ଗୋପ ଦାଣ୍ଡରେ।
ପରିହାସର ନିଆଁରେ ତିଳ ତିଳ କରି ଜାଳୁଛି,
ମୋର ଦେହ, ମନ ଆଉ ଆତ୍ମାକୁ।
କେତୋଟି ମୁହୁର୍ତ୍ତର ପ୍ରେମ ଛଡା,
ଆଉ କଣ ମୋତେ ଦେଲ?
ପରିପୂର୍ଣ୍ଣ କରିପାରିଲ ମୋ ଜୀବନକୁ?
ନାଁ ମୁଁ ହେଇପାରିଲି ତୁମ ପ୍ରେମିକା,
ନାଁ ଚନ୍ଦ୍ରସେଣାର ପତ୍ନୀ,
ପ୍ରେମିକା ଆଉ ପତ୍ନୀର ମଝିରେ,
ମୁଁ ରହିଗଲି ଅନାମିକା ଚରିତ୍ରଟେ ହୋଇ।
ନଥିଲା ଆମ ପ୍ରେମରେ କୌଣସି ସର୍ତ୍ତର ରାଜିନାମା,
ଛୁଇଁ ଯାଇଥିଲେ ଦୁହେଁ ଦୁହିଁଙ୍କ ହୃଦୟ ଆଉ ଆତ୍ମାକୁ।
କିନ୍ତୁ କହିପାରିବ ଏମିତି ସମ୍ପର୍କର ମାନେ କଣ?
କେଉଁ ଏକ ନିରୋଳା ମୁହୂର୍ତ୍ତରେ,
ମୋ କାନରେ ଚୁପିଚୁପି କହିଥିଲ,
ଏ କାହ୍ନା କେବଳ ତୁମର,
ଅଦୂରରେ, ଅଦୃଶ୍ୟରେ ଥିଲେ ବି ତୁମର,
ତା ହୃଦୟରେ ସାଇତା ଶ୍ରୀରାଧାର ଛବି।
ଲୋଡା ନାହିଁ ମୋର ସେ ହୃଦୟର ରୁଦ୍ଧ କୋଠରୀ,
ଲୋଡ଼ା ନାହିଁ ସେ ଅଦୃଶ୍ୟ ବନ୍ଧନ।
ଆଜି ଏ ରାଧା ଚାହୁଁଛି,
ତୁମର ସାନ୍ନିଧ୍ୟ, ଟିକେ ଆତ୍ମୀୟତା।
ଆଖିରେ ଆଖି ରଖି ପ୍ରାଣକୁ ଛୁଇଁ ଯିବାର ଆଶା,
ବାଉଳା ପବନରେ ଝୁମି ଝୁମି,
ସାଜିବାକୁ ନୃତ୍ୟରତା ନାୟିକା।
ହେ କାହ୍ନା, ହେ ମୋର ପ୍ରିୟ,
ଫେରିଆସ, ଥରୁଟିଏ ଚାଲିଆସ,
ତୁମର ଏ ରାଈ ପାଖକୁ।
ତୁମର ଥରୁଟିଏ ଦର୍ଶନରେ,
ମେଣ୍ଟିଯାଉ ମୋର ଅୟୂତ ଯୁଗର ତୃଷ୍ଣା,
ଲିଭିଯାଉ ମୋର ସବୁ ଅପବାଦ।
ପୁଣି ଥରେ ବହିଯାଉ,
ମୋ ହୃଦୟ କନ୍ଦରରେ ପ୍ରୀତିର ଫଲ୍ଗୁ।
ତୁମ ବାହୁର ଝୁଲଣାରେ ଝୁଲି ଝୁଲି,
ମୁଁ ହେଇଯାଏ,
ସ୍ୱପ୍ନମୟୀ, ପ୍ରେମମୟୀ, ମାନିନୀ ରାଧିକା।।।।
