ଶ୍ରୀକ୍ଷେତ୍ର ବିଜେ
ଶ୍ରୀକ୍ଷେତ୍ର ବିଜେ
ତୁଳୀ ତଳପକୁ ଭକ୍ତିରେ ସଜାଇ
କର ଯୋଡି ଥିବି ଚାହିଁ,
ସୁଖନିଦ୍ରା ବେଳେ ଚାମର ଚାଳିବି
ନିଶା ଉଜାଗର ରହି ।
ତବ ଭକ୍ତି ରସେ ପରିପ୍ଳୁତ ହୋଇ
ତବ ନାମ ଗାଉଥିବି,
ଛଡା ତୁଳସୀରେ କ୍ଷୁଧା ମୋ ମେଣ୍ଟାଇ
ଦୁଃଖ ସୁଖ ଭୁଲିଯିବି ।
ନାମ ପ୍ରେମ ସୁଧା ହେଉ ମୋ ମସୁଦା
ପ୍ରାଣ ଭରି କରି ପାନ,
ପାପତାପ ବ୍ୟାଧି ଲଭିବ ସମାଧି
ନାମାନଳେ ହେବ ଲୀନ ।
ନାମ ମନନରେ ନେତୃ ବହେ ନୀର
ନିରେଖି ଚାରୁ ଚନ୍ଦ୍ରମା,
ନିଶି ଦିବସରେ ଅନ୍ତର ମନ୍ଦିରେ
ସଜାଇ ତବ ପ୍ରତିମା ।
ବେନି ନୟନରୁ ବହି ଯାଉଅଛି
ମିଳନ ଆକୁଳ ନୀର,
ତନୁ ମନ ପ୍ରାଣ ବିକିଛି ଚରଣେ
ବାନ୍ଧି ଭକତିର ଡୋର ।
ସଜାଇ ଭୂବନ ହୃଦ ସିଂହାସନ
କରେ ପ୍ରଭୁ ଆବାହନ,
କୋଟି ବ୍ରହ୍ମାଣ୍ତର ରୂପ ନେତ୍ରେ ଭରି
ହୃଦ କରିଛି ପାଷାଣ ।
ଶ୍ରୀପୟର ଧୂଳି କୋଟି ତୀର୍ଥ ବଳି
କେଉଁ ତୀର୍ଥ ଯିବି ମୁହିଁ,
ସେହି ଧୂଳି ଅଂଗେ ନିଇତି ବୋଳୁଛି
ଲଭିବି ବୈକୁଣ୍ଠ ଭୂଇଁ ।