ଶ୍ରୀକୃଷ୍ଣ ଜନ୍ମ
ଶ୍ରୀକୃଷ୍ଣ ଜନ୍ମ
ଆଦ୍ୟ ଭାଦ୍ରବର ଅଷ୍ଟମୀ ତିଥିର
ଘନଘୋର ସେଇ ଅମାରାତି
ପ୍ରସବ ବେଦନା ଆକୁଳେ ଉନ୍ମନା
ଥରିଯାଏ ଦେବକୀ ର ଛାତି।।
ମଥୁରା ରାଜନ ବୀର ଉଗ୍ରସେନ
ଅଳିଅଳି କନ୍ୟା ସେ ଦେବକୀ
ସ୍ୱୟଂବର କରି ବୀର ବସୁଦେବ
ବରଣେ ହୋଇଲା ମହାସୁଖୀ।।
ବିଧି ବାମ ହେଲା ଦୈବବାଣୀ ହେଲା
ଦେବକୀ ଅନୁଜ ମାମୁଁ ହନ୍ତା
ଭାଇ ହେଲା ଅରି ତାହା ମନେ ଘାରି
ପଥୁ ଫେରାଇଲା ରଥଯାତ୍ରା ।।
ମାରିବ ଜୀବନେ ବୋଲି ବେନିଜନେ
ଚନ୍ଦ୍ରହାସ ଖଡ୍ଗ ହାତେ ଧରି
ବସୁଦେବ କଲେ ନିର୍ମମ ଶପଥ
ସନ୍ତାନ ଯେବେ ମୋ’ ତୋ’ ବଇରୀ।।
ହେବ ଆମ ଯେତେ ସନ୍ତାନ ନିରତେ
ତୋର ହାତେ ତାଙ୍କୁ ଦେବି ତୋଳି
ମାର ନାହିଁ ବାବୁ ଜୀବନେ ଆମକୁ
ଏତିକି ହେଉଛି ନିଉଛାଳି ।।
ସାତ ମୁଦ ଦେଇ କାରାଗାରେ ନେଇ
ନିକ୍ଷେପିଲା କଂସ ମହାରୋଷେ
ପିତା ଉଗ୍ରସେନ ତେଜି ସିଂହାସନ
ଜଗୁଆଳୀ କରି ଦେଲା ଦେଶେ।।
ଗୋଟି ଗୋଟି କରି ଛଅ ପୁଅ ମାରି
ତଥାପି ଶଙ୍କିତ କଂସ ରାଜା
ସପ୍ତମ ସନ୍ତାନ କରିଣ ହରଣ
ରୋହିଣୀ ଗର୍ଭରେ ସ୍ଥାପିତ ଯା ।।
ଦେବକୀ ମାତାର ପରାଣ ଆକୁଳ
ପ୍ରାର୍ଥନା କରୁଛି ନିରନ୍ତର
ଆହେ ନାରାୟଣ କର ପରିତ୍ରାଣ
କଂସ କବଳୁ ବାଳୁତ ମୋର।।
ଦେବକୀ ଜାଣେନା ନିଜେ ବଜ୍ରସେନା
ତା’ ଅଷ୍ଟମ ଗର୍ଭ ରେ ବିଜେ କରି
ଆସିଛନ୍ତି ପରା ତାରିବାକୁ ଧରା
ଦୁଷ୍ଟ କଂସ କବଳରୁ ହରି।।
ମଧ୍ୟ ରାତ୍ରେ ଜାତ ହୋଇଲା ବାଳୁତ
ନୀଳକାନ୍ତି ତେଜୋମୟ ବପୁ
ମୂର୍ଚ୍ଛା ଦେବକୀ ବସୁଦେବ ସାକ୍ଷୀ
ଦିବ୍ୟବାଣୀ ଶୁଭିଲା କର୍ଣ୍ଣ କୁ।।
ବେଗେ ନିଅ ମୋତେ ଯାଅ ହେ ତୁରିତେ
ଯମୁନା ନଦୀର ଆରପାରେ
ଆଣ ପାଲଟାଇ କନ୍ୟା ରତ୍ନ ସେଇ
ଜନମିଛି ଯିଏ ନନ୍ଦ ଘରେ ।।
ଜନକ ଚକିତ ଦେଖି ଅଦଭୁତ
ଫିଟିଲା ଶୃଙ୍ଖଳ ଆଉ ଦ୍ୱାର
ଧରି ବେତୁଲି ଟି ଆଣିଲେ ସାଉଁଟି
ନବଜାତ ଶିଶୁ ଧରି କର।।
ଧରି ମଥା ପରେ ଧାମନ୍ତି ବେଗରେ
ବାଟ ଜଗି ରାଜା ଉଗ୍ରସେନ
ଚତୁର୍ଭୁଜ ବିଷ୍ଣୁ ଦେଖିଣ ନୟନୁ
ବୋଲଇ ତରିଲି ନାରାୟଣ।।
ଉଛୁଳା ଯମୁନା ମଧ୍ୟେ ନିଜ ଫଣା
ଢାଙ୍କିଲେ ଅନନ୍ତ ନାଗରାଜ
ବିଜୁଳୀ ଦେଖାଏ ପଥକୁ କଢାଏ
ପ୍ରବେଶ ହୋଇଲେ ଗୋପରାଜ୍ୟ।।
ଯଶୋଦା କୋଳରେ ଥୋଇ ମହାମେରୁ
ଉଠାଇ ଆଣିଲେ ମହାମାୟା
ଲୀଳାମୟଙ୍କର ଲୀଳା ସେ ଅପାର
କଲେ ନନ୍ଦ ଘରେ ଯାହାଯାହା।।
ବାଳୁତ ଶ୍ରୀକୃଷ୍ଣ କୃପାକୁ ସତୃଷ୍ଣ
ମନ ମୋ ରହିଛି ଅହରହ
ଦୁଷ୍ଟଙ୍କୁ ନିବାରି ସନ୍ଥଙ୍କୁ ଉଦ୍ଧାରି
ଦୟା ରଖିଥିବ ଦୟାମୟ।।