STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଶ୍ରୀଅଙ୍ଗର ସ୍ନିଗ୍ଧ ଅନୁଭବ

ଶ୍ରୀଅଙ୍ଗର ସ୍ନିଗ୍ଧ ଅନୁଭବ

1 min
161


କେଉଁ ଏକ ମୁଗ୍ଧ ମୂର୍ଚ୍ଛନାର

ଶାନ୍ତ ସ୍ନିଗ୍ଧ ମଧୁଲଗ୍ନେ କେବେ

ଅଜାଡି ପଡେ ଯେବେ

ମଧୁମାଳତୀର ମହମହ ବାସ

ଚନ୍ଦନ କର୍ପୁର ଦୟଣାମାଳର ପବିତ୍ର ମହକ

ଲଗାମହୀନ ମନଟା ମୋର  

ଧାଇଁଯାଏ ଏକା ଏକା

ଛୁଇଁବାକୁ ତୋ' ପୁଣ୍ୟ ଶ୍ରୀକ୍ଷେତ୍ରର ନେତ

ତୋ' ପବିତ୍ର ବାଇଶ ପାହାଚ

କୋଟି ତପସ୍ୟାର ପୁଣ୍ୟ ଫଳରେ

ଜୁଜୁବୁଡୁ ତୋ' ଶରଧାବାଲି ,

ବୁଡିବାକୁ ମହୋଦଧିର ଉତ୍ତାଳ ଢେଉରେ

ଧୋଇଯିବ କାଳେ ସବୁତକ ପାପ ।


ଦିବ୍ୟ ଅନୁରାଗରେ ଭରିଯାଏ

ତୋ' ଚନ୍ଦନ ଚର୍ଚ୍ଚିତ ଶ୍ରୀମୁଖର ଦିବ୍ୟ ସଂଦର୍ଶନ ,

ମୋ ସିକ୍ତ ଭାବନା ,ମୁକ୍ତ ଆବେଗ

ଦେହ-ମନ-ପ୍ରାଣର ପ୍ରତିଟି ସ୍ପନ୍ଦନ 

ରୋମାଞ୍ଚିତ ହୁଏ ପରମ ତୃପ୍ତିରେ

ଦେଖିବାକୁ ମନଭରି ତୋ' ବଡଦେଉଳ

ତୋ' ଆରାଧନାର ଆଡପ ମଣ୍ଡପ

ଆଉ ତୋ' ବଡସିଂହାର ମନଲୋଭା ବେଶ,

ଭୁରୁଭୁରୁ ବାସ୍ନାରେ ଉବୁଟୁବୁ

ଧୂପ ଦୀପ ନୈବେଦ୍ୟର ମଙ୍ଗଳ ଅଳତି,

ଅଜାଡିଦେବାକୁ ଯେତକ ପ୍ରଣତି 

ମୋ ରିକ୍ତ ହୃଦୟର ତୋ' ବଡଦାଣ୍ଡେ ,

ନେସିଦେବାକୁ ତୋ' ଶ୍ରୀଅଙ୍ଗର କଳା ଯେତେ

ମୋ ଦେହରେ ତାଳୁ ଠୁ ତଳିପା' ଯାଏ ।


ମୋ ଚିତ୍ତ ଓ ଚୈତନର ଯେତେ ବିସ୍ତାରିତ ଦିଗ

ଲମ୍ବି ଲମ୍ବି ଯାଏ ମନଖୋଲି ଚାହିଁବାକୁ

ତୋ' ଚକା ଚକା ନୀଳ ଅପଲକ ନେତ୍ର,

ସମର୍ପଣ ର ଅପୂର୍ବ ଭଙ୍ଗିରେ

ଢାଳିଦିଏ ମୁଁ ମୋ ବିଗଳିତ ହୃଦୟର 

ଅବରୁଦ୍ଧ ଯେତେ ଲୁହ,ଲହୁ ଆଉ କୋହ ,

ଲେପିହୋଇଯାଏ ସର୍ବାଙ୍ଗ ଚେତନାରେ ମୋର

ତୋ' କୋମଳ ଆଶିଷର ମଧୁର ସୁବାସ

ସୌଭାଗ୍ଯର ଯେତେ ସୁବର୍ଣ୍ଣ ଉଚ୍ଛ୍ବାସ  ।


ଅଶ୍ରୁର ଅର୍ଘ୍ଯରେ ଥରି ଉଠେ ପୂଜାବେଦୀ

କ୍ରିୟାଶୀଳ ହୁଏ ମନ୍ତ୍ରର ମହକ ମାଟିରୁ ଆକାଶ 

ବିଲୀନ ହୋଇଯାଏ ମୋର ସକଳ ସତ୍ତା

ଏକକାର ହୋଇଯାଏ ତୋ' ଶ୍ରୀପୟରେ ,

କି ଅପରୂପ ଜ୍ୟୋତି , କି ମନ୍ତ୍ରମୁଗ୍ଧ କାନ୍ତି !

କି ମାଧୁର୍ଯ୍ୟଭରା ଠାଣି ,କି ଅପୂର୍ବ ଚାହାଣୀ !

ମନଭରିଯାଏ ତୋ' କମନୀୟ ଅଖଣ୍ଡ ଦ୍ୟୁତିରେ ।


ପ୍ରାପ୍ତି-ଅପ୍ରାପ୍ତି ,ପାପ-ପୁଣ୍ୟ, ମୋକ୍ଷ-ଅମୋକ୍ଷ,

ଭାବ-ଅଭାବ ,ଭୋଗ- ଅଭୋଗ,ଦୃଶ୍ୟ-ଅଦୃଶ୍ୟର

ଛାଇ ଆଲୁଅର ଅମଡା ବାଟରେ ପାଦ ଦେବାବେଳେ 

ମୁଖରିତ ହୁଏ ମୋ ଜୀବନର ତନ୍ତ୍ରୀ

ପୂର୍ଣ୍ଣତାର ରାହା ମିଳିଯାଏ 

ସକଳ ଅପୂର୍ଣ୍ଣତାର ବନ୍ଧୁର ରାସ୍ତାରେ ।

ଛଳଛଳ ଆଖିପତା ମୋ ମୁଦି ହୋଇଯାଏ

ମୃତ୍ୟୁର କଣ୍ଟକିତ କୋଳେ ମୁଣ୍ଡ ଥାପି 

ସନ୍ଧାନ ପାଏ ମୁଁ  ଅମୃତର 

ଓ ଏକ ଦିବ୍ୟ ଅନୁଭବର ,

ମୋହାଚ୍ଛନ୍ନ ହୁଏ ମୁଁ ଶବ୍ଦହୀନ ମଙ୍ଗଳ ସ୍ତବରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍