ସହରୀ ଜୀବନ
ସହରୀ ଜୀବନ
ସହରୀ କହୁଛି ମଫସଲି ଦେଖି
ମଫୁ ଢଙ୍ଗ ତୋର ଗଲାନି
କାଳେ କାଳେ ବୁଦ୍ଧି ପାକଳ ହେବନି
ମଣିଷରେ ଗଣା ହେଲନି ।।
ଘାଣ୍ଟି ହେଉଥିବୁ ପଙ୍କ କାଦୁଅରେ
ଖାଉଥିବୁ ମୁଢ଼ି ପଖାଳ
ପିନ୍ଧିବାକୁ ଭଲ କାହିଁ ତୋର ବେଳ
ଅଭାବ ତୋସଖା ସୋଦର ।।
ଚେହେରାଟି ତୋର କଙ୍କାଳରେ ସାର
ମାଉଁସ ଟିକିଏ ଲାଗୁନି
ବେଣା ପାଟ ବିଲ ବଣ ନଈ କୂଳ
ବାସ ତୋ ପାଲଟି ଗଲାଣି ।।
ସହରଟି ଭଲ ନାହିଁ ମଫସଲ
ପାଣି କାଦୁଅରୁ ଟିକିଏ
ପାଦରୁ ଚପଲ ବାହାରେନି କାର
ଚିକ୍କଣ ଚେହେରା ସଭିଏଁ ।।
ସହରର ଖାନା ଆଛା ଲାଗେ ସିନା
ନାହିଁତ ଟଙ୍କାର ଅଭାବ
ବୁଦ୍ଧି ଖଟେଇଲେ ରୋହି ପଡେ ଜାଲେ
ଏହିତ ସହରୀ ସ୍ଵଭାବ ।।
ଶୁଣି ମଫସଲି ହାଇ ଟିଏ ମାରି
କହୁଛି ତାହାର ଉତ୍ତର
ବନ୍ଧୁ ଭାଇଚାରା ସୂତ୍ରେ ଗାଆଁ ସାରା
ସେନେହ ମମତା ଆଦର ।।
କରି ପରିଶ୍ରମ ଦେହ ମୋ ଉତ୍ତମ
ଜୀବନେ ଖାଇନି ବଟିକା
ବସି ଖାଇ ତୋର ଦିଶଇ ଉଦର
ଦଗଧ ଚୁଲିର ଆଟିକା ।।
ଔଷଧ ତୁମର ସାଥୀ ସହଚର
ସହରେ ରହିଛ ଯେତେକ
ଆମ କଲା ଧନ କରୁଛ ଭୋଜନ
ନୋହିଲେ ହୋଇବ ଚାତକ ।।
ଶାନ୍ତ ପରିବେଶ ନିର୍ମଳ ଆକାଶ
ତୁମ ପାଇଁ ସାତ ସପନ
ଓଡ଼ଶର ସମ ଝୁଣି ପର ଧନ
ବୋହୁଛ ଏ ପାପ ଜୀବନ ।।
ଦେଶ ପାଇଁ ଆମ କର୍ମ ସ୍ୱାଭିମାନ
ମାତୃଭୂମି ସେବା କରିବୁ
ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଆମେ
ମାଆ ପାଇଁ ସଦା ଲଢ଼ିବୁ ।।