ଶ୍ରେଷ୍ଠ ସେହି ପରିଚୟ
ଶ୍ରେଷ୍ଠ ସେହି ପରିଚୟ
ପରମ୍ପରା ଆମ ହିନ୍ଦୁ ସମାଜର
ବାର ମାସେ ତେର ବ୍ରତ
ବିବାହିତା ନାରୀ ମନେ ଭକ୍ତି ଭରି
ପାଳଇ ସାବିତ୍ରୀ ବ୍ରତ ॥
ସ୍ଵାମୀଙ୍କ ଦୀର୍ଘାୟୁ ମନାସିଣ ସେହୁ
ଉପବାସ କରିଥାଏ
ପୂଜାର୍ଚ୍ଚନା ଅନ୍ତେ ସ୍ଵାମୀ ପଦ ସେବି
ସ୍ଵାମୀ ପଦାମୃତ ପାଏ ॥
ବିଷ୍ଣୁ ପଦ ଧ୍ୟାୟୀ ଲଭେ ମନେ ଶାନ୍ତି
ସ୍ଵାମୀଙ୍କ ମଙ୍ଗଳ ଚାହେଁ
ଭାଗ୍ୟ ସାଥେ ଯୁଝି ଯମ ସାଥେ ଲଢ଼ି
ସଉଭାଗ୍ୟ ବତୀ ହୁଏ ॥
ଟୋପାଏ ସିନ୍ଦୂର ଦୁଇ ପଟ ଶଙ୍ଖା
ଯେବେଠୁଁ ନିଜର କରେ
ସୀମନ୍ତିନୀ ସାଜି ନିଜ କଥା ଭୁଲି
ହଜେ ନିଜ ସଂସାରରେ ॥
ବିବାହ ବନ୍ଧନେ ବାନ୍ଧି ହେଲା ପରେ
ସ୍ଵାମୀକୁ ଈଶ୍ଵର ମଣେ
ଦେହ ମନ ପ୍ରାଣ ଏକାକାର କରି
ଆତ୍ମୀୟତା ଭରେ ମନେ ॥
ସଂସାରେ ଅତୁଟ ବନ୍ଧନ ପରା ଏ
ସ୍ଵାମୀ ସ୍ତ୍ରୀ ର ସମ୍ପର୍କ
ଅହଂକାର ଏଠି ଅଙ୍ଗୀକାର ବଦ୍ଧ
ମାନେନି କିଛି ବିତର୍କ ॥
ମାନ ଅଭିମାନ ରାତି ଅନ୍ତେ ଶେଷ
ରହେନି କାହିଁରେ କ୍ଳେଶ
ସମର୍ପିତା ସେହି ପତିବ୍ରତା ନାରୀ
ତା'ର ଗୃହଲକ୍ଷ୍ମୀ ବେଶ ॥
ସ୍ଵାମୀ ତା' ଧରମ ସ୍ଵାମୀ ତା' କରମ
ସ୍ଵାମୀ ପଦ ସେବା କାମ୍ୟ
ପବିତ୍ର ହୃଦୟା ଅଟେ ସେହି ନାରୀ
ହୁଏନି ତା' ମତିଭ୍ରମ ॥
ସ୍ଵାମୀ ପରିଚୟେ ହୁଏ ପରିଚିତା
ଆନେ ନାହିଁ ତା'ର ଲୟ
ବନ୍ଦିନୀ ପରା ସେ ସ୍ଵାମୀ ହୃଦୟର
ଶ୍ରେଷ୍ଠ ସେହି ପରିଚୟ ॥
