ଶରଦାବାହନ
ଶରଦାବାହନ
ବିଧି ଆଜ୍ଞା ମତେ ଅବନୀ ବକ୍ଷରେ
ଲୀଳା କରଇ ପ୍ରକୃତି ।
ବାରମାସ ସହ ଷଡଋତୁ ମିଶି
ସ୍ୱଧର୍ମ ସର୍ବେ ପାଳନ୍ତି ।।
ସୁଷମା ମଣ୍ଡିତା ପ୍ରକୃତି ସାମ୍ରାଜ୍ଞୀ
ତା’ଶୋଭା ବିଶ୍ୱ ମୋହିତା ।
ବିବିଧ ପୁଷ୍ପରେ ତରୁ-ଲତା ଗଣ
ହୋଇଥାନ୍ତି ସୁସଜ୍ଜିତା ।।
ସରସି ରାଜୀବ ହୋଇ ବକଶିତ
ପ୍ରଫୁଲ୍ଲିତ କରେ ମନ ।
ମକରନ୍ଦ ପାନ ଆଶାରେ ମଧୁପେ
କରନ୍ତି ମଧୁ ଗୁଞ୍ଜନ ।
ଯୁଇ-ଜାଇ-ଜବା-ଟଗର-ତମାଳ
ବଣମଲ୍ଲୀ - କନିଅର ।
କୁନ୍ଦ ଓ ତରାଟ ହୋଇ ପ୍ରସ୍ଫୁଟିତ
ଦିଅନ୍ତି ଶାନ୍ତି ଅପାର ।
ଧାରା ଶ୍ରାବଣରେ ସିକ୍ତ ଧରଣୀ
ଶ୍ୟାମଳ ରଙ୍ଗେ ରଞ୍ଜିତା ।
ରୂପସୀ ନାୟିକା ପରି ମନଲୋଭା
ଅଙ୍ଗେ ହୋଇ ବିଭୂଷିତା ।।
ବିଦାୟୀ ଶ୍ରାବଣ ବର୍ଷାରାଣୀ ସହ
ମହୀରୁ କରେ ଗମନ ।
ଶ୍ରାବଣର ଅନ୍ତେ ଭଦ୍ର-ଆଶ୍ୱିନ
କରନ୍ତି ଧରାବତରଣ ।
ସମ୍ମିଳିତ ଭାବେ କରନ୍ତି ଉଭୟେ
ଶରତର ଆବାହନ ।
ସୁସ୍ଵାଗତ ହୋଇ ଶରତ ଧରାରେ
ଜ୍ଞାପଇ ଅଭିନନ୍ଦନ ।।
ସୁବିମଳ ଜ୍ୟୋତି ପ୍ରକାଶି ପୃଥ୍ୱୀକୁ
କରିଥାଇ ସୁନିର୍ମଳ ।
ସ୍ୱର୍ଗ ଅପସରା ଓ ପରୀ ସଦୃଶ
ଦିଶଇ ଯେହ୍ନେ ଧବଳ ।।
ପ୍ରତି ସୁମନରେ ଭ୍ରମନ୍ତି ଭ୍ରମରେ
ସର୍ବେ ହୋଇ ଏକ ପ୍ରାଣ ।
ମକରନ୍ଦ ପାନ ଆଶାରେ ମଧୁପେ
କରନ୍ତି ମଧୁ ଗୁଞ୍ଜନ ।।
ଶରତ କାଳୀନ ଚନ୍ଦ୍ରମା ଆଲୋକ
ଅତି ଆହ୍ଲାଦାୟକ ।
ସୁଶୀତଳ କରି ଅଶାନ୍ତ ପ୍ରାଣରେ
ଦିଏ ନବୀନ ପୁଲକ ।।
ଶାରଦୀୟ ଶୁକ୍ଳପକ୍ଷ ଯାମିନୀର
ଜ୍ୟୋତ୍ସ୍ନାବିଧୌତ ସୁକାନ୍ତି ।
ଉଲ୍ଲସିତ ପ୍ରାଣେ କିଶୋର-କିଶୋରୀ
ନୃତ୍ୟରଙ୍ଗେ ମଜ୍ଜିଥାନ୍ତି । ।
ସବୁଜିମା କ୍ଷେତ୍ର ଲଗଇ ବଚତ୍ର
ଭବ୍ୟ ଅନୁପମ ଦୃଶ୍ୟ ।
ସର୍ବ ମନ-ପ୍ରାଣ ହୁଅଇ ପ୍ରଶାନ୍ତ
ବିଶ୍ୱ ଲାଗେ ମଧୁମୟ ।।
ନଦୀପଠା-ଗିରିପାଦ ଓ ପ୍ରାନ୍ତର
ଦିଶେ ତୁଷାର ଧବଳ ।
କାଶତଣ୍ଡୀ ଫୁଲେ ହୋଇ ସୁସଜ୍ଜିତ
ମହୀ ଲାଗେ ସୁମଞ୍ଜୁଳ ।।
ଶାରଦୀୟ ଧରା ଚିତ୍ତ ମନୋହରା
ଯେସନେ ଅଳକାପୁରୀ ।
ଇନ୍ଦ୍ରାଣୀ ଦେବୀଙ୍କୁ ନିନ୍ଦଇ ଏ ଶୋଭା
ସତେକି ମୋହିନୀ ନାରୀ ।।
ମୃଦୁ ସୁବାସରେ ଶେଫାଳି କୁସୁମ
ନିଶାରେ ହୋଇ ପୁଷ୍ପିତ ।
ବ୍ରାହ୍ମମୁହୂର୍ତ୍ତରେ ହୁଏ ଧରଶାୟୀ
ବୃକ୍ଷରୁ ହୋଇ ପତିତ ।।
ମର୍ତ୍ତ୍ୟଭୁବନର ସୌନ୍ଦର୍ଯ୍ୟେ ଆକୃଷ୍ଟ
ଦ୍ୟୁଲୋକର ସର୍ବେ ସୁର ।
ଅମରପୁରରୁ ଅବତରି ମହୀ
ମର୍ତ୍ତ୍ୟେ କରନ୍ତି ବିହାର ।।
ଶ୍ରୀଗଣପତି ଓ ଦେବଶିଳ୍ପୀଙ୍କର
ହୁଅଇ ପୂଜା ଉତ୍ସବ ।
ଶିଳ୍ପ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ
ହୃଦେ ଚିନ୍ତି ଭକ୍ତି ଭାବ ।।
ହୁଳହୁଳି ଦେଇ ଗ୍ରାମ କୁମାରୀଏ
ଗାଇ ଜହ୍ନିଓଷା ଗୀତ ।
ଶ୍ରଦ୍ଧା-ଭକତିରେ କରିଥାନ୍ତି ପୂଜା
ହୋଇ ସର୍ବେ ଆନନ୍ଦିତ ।।
ଜହ୍ନି ଓ କାକୁଡି ପୁଷ୍ପେ ସୁମଣ୍ଡିତା
ହୋଇଥାନ୍ତି ବୃନ୍ଦାବତୀ ।
ଚଉରାମୂଳରେ ପ୍ରଦୋଷେ ପୂଜନ୍ତି
କରିଣ ସନ୍ଧ୍ୟାଆଳତି ।।
ଆଶ୍ୱିନର ଆଦ୍ୟ କୃଷ୍ଣପକ୍ଷ ଠାରୁ
ପାଳିତ ଅପରପକ୍ଷ ।
ପିତୃଗଣ ସର୍ବେ ପିଣ୍ଡ ପ୍ରାପ୍ତି ଆଶେ
ବିଚରନ୍ତି ଧରାବକ୍ଷ ।।
ମାସାଦ୍ୟ ଦିନରୁ ମହାଳୟା ଯାଏଁ
ଦିଅନ୍ତି ତିଳ ତର୍ପଣ ।
ଶ୍ରଦ୍ଧା-ବିଶ୍ୱାସରେ ପିଣ୍ଡଦାନ ସହ
କରନ୍ତି ପିତୃସ୍ମରଣ । ।
ନବଦିନାତ୍ମକ ନବରାତ୍ରୀ ପୂଜା
ସାନନ୍ଦେ ହୁଏ ପାଳିତ ।
ଉତ୍ସବ ମୁଖର ଶରତ ଆସର
ସତେକି ବିଧି ନିର୍ଦ୍ଦିଷ୍ଟ ।।
ଶାରଦୀୟ ପର୍ବେ ଶାରଦା-ବରଦା
ଦୁର୍ଗାଦେବୀ ଆବର୍ଭୂତା ।
ପାର୍ବଣର ଏହି ପାବନାବସରେ
ମାତା ହୁଅନ୍ତି ପୂଜିତା ।।
ଦୁର୍ଗାଦେବୀଙ୍କର ମୃଣ୍ମୟ ମୂର୍ତ୍ତିକୁ
ମଣ୍ଡପେ କରି ସ୍ଥାପନ ।
ବୈଦିକ ମନ୍ତ୍ରରେ ଆବାହନ ସହ
କରନ୍ତି ଭକ୍ତି ପୂଜନ | ।
ଭ୍ରାତୃତ୍ୱ ବନ୍ଧନେ ଆବଦ୍ଧ ହୋଇଣ
ସକଳ ମାନବ ଜାତି ।
ଶତ ଶରଦର ଆୟୁଷେ ବଞ୍ଚନ୍ତି
ମନେ ରଖି ମୈତ୍ରୀ-ପ୍ରୀତି ।।
ଶରଦ ଆକାଶ ସୁନିର୍ମଳ ପରି
ସର୍ବେ ହୁଅନ୍ତ ନିର୍ମଳ ।
ହିଂସା-କପଟ ଯାଉ ଅପସରି
ରହୁ ପ୍ରେମ ଅନାବିଳ I।
ସୁଧୀ ସାହିତ୍ୟିକ ଗୁଣୀ କବିବର୍ଗ
ସଭିଙ୍କୁ ଭକ୍ତି ନମନ ।
ଶରତ ଚନ୍ଦ୍ରରେ ହୋଇ ଆହ୍ଲାଦିତ
ଜଣାଏ ଅଭିନନ୍ଦନ ।।