ଶ୍ରବଣ କୁମାର
ଶ୍ରବଣ କୁମାର
ତ୍ରେତୟା ଯୁଗରେ ଅନ୍ଧ ମୁନିଙ୍କର
ପୁତ୍ର ଶ୍ରବଣ କୁମାର,
ସୁଯୋଗ୍ୟ ସୁଶୀଳ ପୁତ୍ର ହିସାବରେ
ତୁଳନା ନାହିଁ ତାହାର ।। ୧
ଅନ୍ଧ ପିତାମାତାଙ୍କର ସେବା ଯତ୍ନ
ଜୀବନର ବ୍ରତ କରି,
ଜୀବନ ପଥରେ କଣ୍ଟକ କଙ୍କର
ଦୃଢେ ନେଇ ଥିଲା ବରି ।। ୨
ପିତାମାତାଙ୍କର ତୀର୍ଥ ପର୍ଯ୍ୟଟନ
ଇଚ୍ଛାକୁ ଦେଇ ସମ୍ମାନ,
ନିଜ କାନ୍ଧ ଭାରେ ପିତା ଓ ମାତାଙ୍କୁ
କରାଇଲା ଦରଶନ ।। ୩
ବିରଳ ଦୃଷ୍ଟାନ୍ତ ପାଲଟି ରଖିଲା
ପୁତ୍ର ପଣର ଗୌରବ,
ନିଜକୁ ଉତ୍ସର୍ଗ କରି ଲାଭ କଲା
ଅକ୍ଷୟ କୀର୍ତ୍ତି ବିଭବ ।। ୪
ଆଜି କାଲି କିନ୍ତୁ ସେବା ଓ ତ୍ୟାଗର
ବଦଳିଛି ପରିଭାଷା,
ଅଣଦେଖା ହୋଇ ବୃଦ୍ଧ ପିତା ମାତା
ଭୋଗନ୍ତି କେତେ ଦୁର୍ଦ୍ଦଶା ।। ୫
ନିଜ ପେଟ କାଟି ପିଅର ଜନନୀ
କରନ୍ତି ପ୍ରତିପାଳନ,
ପିଲାଙ୍କ ଭବିଷ୍ୟ ସଜାଡୁ ସଜାଡୁ
ନିଅଣ୍ଟ ହୁଏ ଜୀବନ ।। ୬
ସେହି ପିତା ମାତା ଅପାରଗ ହେଲେ
କାମ ଚାପ ଦ୍ୱାହି ଦେଇ,
ଥରୁଟିଏ ହେଲେ ଦେଖି ଆସିବାକୁ
ସମୟ ମିଳଇ ନାହିଁ ।। ୭
ତଥାପି ସେମାନେ ସନ୍ତାନ ଅନିଷ୍ଟ
ଚିନ୍ତନ୍ତିନି କେବେ ହେଲେ,
ସବୁ ଦୁଃଖ କୋହ ଚପାଇ ରଖନ୍ତି
ବିଶାଳ ହୃଦୟ ତଳେ ।। ୮
ଏ ଯୁଗର ପୁତ୍ର ସେ ଯୁଗ ଶ୍ରବଣ
ଠାରୁ ଥରେ ଶିକ୍ଷା ନିଅ,
ପୁଣି ଥରେ ମୋର ଭାରତ ଭୂଖଣ୍ଡ
ମହକିବ ମହମହ ।। ୯
