ଶ୍ରାବଣୀର ସ୍ୱାଗତିକା
ଶ୍ରାବଣୀର ସ୍ୱାଗତିକା


ଯାଇଥିଲୁ ତୁହି କାହିଁ କେତେଦିନୁ
ପଛରେ ପକାଇ ମୋତେ ।
ବୁଝି ପାରିବୁନି ତୋ'ଠାରୁ ଦୂରେଇ
ଯନ୍ତ୍ରଣା ପାଇଲି କେତେ !!
ଯନ୍ତ୍ରଣା ନୁହେଁ ତ,ମୁଠା ମୁଠା ରୁକ୍ଷ
ରକ୍ତସ୍ରାବ ରୁଦ୍ରତାପ ।
ରୁଦ୍ରତାପ ସଙ୍ଗେ ଫଟା କପାଳକୁ
ବଢିଗଲା ରକ୍ତଚାପ ।।
ତୁ ତ ଯାଇଥିଲୁ କେବେ କି ବୁଝିଲୁ
ତୋ'ବିନା ମାଆ ଦରଦ !
ଚିତ୍କାର କରି ମୁଁ ଲୁହ ଢାଳୁଥିଲି
ଅସହ୍ୟ ସେ ଆର୍ତ୍ତନାଦ ।।
ଆର୍ତ୍ତନାଦ ନୁହେଁ ମେଘନାଦ ପରି
ଭୟଙ୍କର ବିଭତ୍ସତା ।
ପଶୁ ପକ୍ଷୀଠାରୁ ଗଛଲତା ଯାଏ
ନିର୍ବାକ ଓ ନୀରବତା ।।
ଦେହସାରା ମୋର ସବୁଜିମା ଶୂନ୍ୟ
ନିସ୍ତେଜ,ନିର୍ଜଳା,କ୍ଷତ ।
ବରଷକେ ବରଂ ଫେରିଲୁ ଶ୍ରାବଣୀ
ଭିଜିଗଲା ମୋ'ପଣତ ।।
ଭିଜା ପଣତରେ କେତେ ଜନପ୍ରାଣୀ
କେତେ କେତେ ଗୁଳ୍ମଦ୍ରୁମ ।
ସଭିଙ୍କ ଓଠରେ ଚେନା ଚେନା ହସ
ଆଖିରେ ନୂଆ ସପନ ।।
<
/p>
ସପନ ଭିତରେ ରଙ୍ଗ ଓଢଣୀରେ
ବଉଦକୁ ସାଥି କରି ।
ସତେଲୋ ଶ୍ରାବଣୀ ସାଜି ବର୍ଷାରାଣୀ
ସମ୍ମୋହନେ ଦେଲୁ ଭରି !!
ସମ୍ମୋହନ ତୋର ଆଦ୍ୟ ଆଷାଢ଼ର
ପ୍ରାରମ୍ଭ ପ୍ରୀତି ସାଗର ।
ଭରି ଦେଇଗଲା ମର୍ତ୍ତ୍ୟ ମଣ୍ଡଳରେ
ସ୍ବର୍ଗୀୟ ସୁଖ ସମ୍ଭାର ।।
ଶାରଦୀୟ ସନ୍ଧ୍ୟା ବାସନ୍ତୀ ବଉଳ
ସଭିଏଁ ତୋର ଭଉଣୀ ।
ଜଣେ ଋଷିଗଲେ ଆନର ମୁଖଶ୍ରୀ
ଝାଉଁଳି ଯାଏ,ଶ୍ରାବଣୀ ।।
ଆସିଗଲୁ ଯେବେ ଅଗଣା ହସିଲା
ଭିଜା ମାଟିର ମହକେ ।
ଓଢଣୀ ତୋହର ହସି ହସି ମୋତେ
ମାଆ ମାଆ ବୋଲି ଡାକେ ।।
ମାଆର ଶ୍ରୀକୋଳ ସନ୍ତାନଙ୍କୁ ନେଇ
କସ୍ତୁରୀ କସ୍ତୁରୀ ବାସେ ।
ଜଣେ ଋଷିଗଲେ,ଋଷି ଚାଲିଗଲେ
ଆଖିରେ ଲୁହ ବରଷେ ।।
ଆ ଲୋ ସୁପୁତ୍ରୀ ତୋ'ମାଆ ଧରିତ୍ରୀ
ସ୍ୱାଗତିକା ସୁରେ ଡାକେ ।
ମିଳି ମିଶି ଆମେ ସଜେଇ ସଂସାର
ନାଚିବା ନୂଆ ପୁଲକେ ।।