ଶ୍ରାବଣୀ ଗୋ ତୁମେ
ଶ୍ରାବଣୀ ଗୋ ତୁମେ
ଶ୍ରାବଣେ ଶ୍ରାବଣୀ ରାଣୀ, ତା କଳା ମେଘି ଝୀନ ପାଟ ପତନୀ
ଯତନେ ଟାଣି ଓଢ଼ଣୀ
ପ୍ରକୃତି କୋଳରେ ନର୍ତ୍ତନ ମୁଦ୍ରାରେ ଉପଗତ ହେଲା ଜାଣି
ନୀଳକଣ୍ଠ ପୁଚ୍ଛ ଟେକି
ଲତା ବିତାନରେ ଅପୂର୍ବ ଠାଣିରେ ନାଚକରେ ଦେଖ ସଖୀ ।
କଦମ୍ଵ ଫୁଲକୁ ଆଣି, ମଞ୍ଜୁଳେ ପାରିଛି ମଥାରେ ବେଣୀ
ଦୀପ୍ତି ଚଞ୍ଚଳା ରୋଷଣି
ନବ ବଧୁ ବେଶେ କାଦମ୍ବିନୀ ଆସେ ଦେଖରେ ପ୍ରାଣ ମିତଣୀ
ଅଭିନ୍ନ ଶୋଭା ସମ୍ଭାର
ଆକାଶ ପ୍ରଦେଶୁ ଘଡଘଡି ରଡି ଦୁନ୍ଦୁଭି ନିଷାଣ ସ୍ଵର ।
ସାରୁ ପତ୍ର ଛତ୍ର ଟାଣି, ହୁଳହୁଳି ଦିଏ ବେଙ୍ଗୁଲି ରାଣୀ
ସ୍ଵାଗତେ କି ସେ ଶ୍ରାବଣୀ
ବାସବ ଧନୁର ରଙ୍ଗୋଲି ତୋରଣ ସଜାଇ ଦେଇଛି ଆଣି
ସ୍ୱର୍ଗୀୟ କାନନ ଚିତ୍ର
ଧାରଣ କରି କି ଧରିତ୍ରୀ ଶୋଭନ ଦେଖ ଦେଖ ପ୍ରାଣ ମିତ ।
ଅନିଳ ଝରେ ବିଭୋରେ, ଶତ ଶତ ବିଚି ସରସୀ ଜଳେ
ଢଳି ଢଳି କଇଁ ଖେଳେ
ମଉସୁମୀ ଛୁଆଁ ଶ୍ରାବଣ ବରଷା ରିମ୍ ଝିମ୍ ଶବଦରେ
ଶ୍ରାବଣୀ ପାଦ ନୂପୁର
ଶବଦେ ମନରେ ଅନେକ ଭାବନା ଯାଗେ ପ୍ରୀତି ପ୍ରଣୟର ।
କଳାମେଘ ଅହିଭୂଜ, ସରସୀରେ କଇଁ କରନ୍ତି ନୃତ୍ୟ
ସତେକି କେତେ ଅଦ୍ଭୁତ
ତାଳେ ତାଳେ ନାଚେ ଅନନ୍ତା ଆନନ୍ଦେ ଫୁଲେ ଫୁଲେ ସଜବାଜ
ମନୋହର ରୂପ ନେଇ
ଶ୍ରାବଣେ ଶ୍ରାବଣୀ ଧରିତ୍ରୀ କୋଳକୁ ଆସିଛି ଦେଖ ଓହ୍ଲାଇ ।
