STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ଶ୍ମଶାନ ବୈରାଗ୍ୟ

ଶ୍ମଶାନ ବୈରାଗ୍ୟ

1 min
275


ସ୍ଵର୍ଗଦ୍ଵାରରେ ଅଗ୍ନି ଶିଖା

ମୁର୍ଦ୍ଦାରରୁ ମଣିଷକୁ ଛୁଏଁ।

ଜାଳି ପୋଡି ଭସ୍ମ କରେ

ବର୍ଷ ବର୍ଷର ଅନାବନା ଆବର୍ଜନା

ଅନେକ ଅଳିଆ।

ଚିତାରୁ ଉଠୁଥିବା ଧୂଆଁ

କୁଢ କୁଢ ଚିନ୍ତାର ମଢର

ନିମିଷକେ କରେ ସତ୍କାର।

ସେ ନିଆଁରେ ଜଳିଯାନ୍ତି

ବିକାରର ପଲ ପଲ ପତଙ୍ଗ।

ସେ ଧୂଆଁରେ ପଳାୟନ କରନ୍ତି

କେତେ ଯେ ରକ୍ତ ଶୋଷା ଡାଆଁସ।

ମୃତକର ମୁକ୍ତି ଜଗନ୍ନାଥ କରୁଥିବେ

ହେଲେ ମୁଁ ମୁକ୍ତିଲାଭ କରେ

ଶରୀରରୁ, ସମ୍ପର୍କରୁ, ସଂସାରରୁ।

ସ୍ମଶାନର ସେହି ବିରଳ ସୁଖ କିନ୍ତୁ

ଧିରେ ଧିରେ ଖୁବ୍ ଶୀଘ୍ର ମିଳେଇ ଯାଏ।

ମରିବା ଲୋକର ଭୂତ

ରାତିର ଛାଇଛାଇଆ ଜହ୍ନ ଆଲୁଅରେ

ଦିଶିଯାଏ।

ଚିତାର ସେ ଧୂଆଁ ପୁଣି ଏକିକୃତ ହୋଇ

ମୋ ଭିତରେ ସବାର ହୁଏ,

ସେଇ ଅଗ୍ନି ଶିଖା ମୋ ଚାରିପଟେ

ଉତ୍ତାପର ଏକ ଅଭେଦ୍ୟ ପ୍ରାଚୀର ବନାଏ।

ଧୀରେ ଧୀରେ ଦଶତୁଠର ଲଣ୍ଡା ମୁଣ୍ଡରେ

ବାଳ କଅଁଳେ, ଅହଂକାରର ନିଶ ଗଜୁରି ଆସେ।

ମୁଁ ପୁଣିଥରେ ମୁକ୍ତ ଆକାଶରୁ

ଅବତରଣ କରେ ଧରା ପୃଷ୍ଠରେ

ପୁଣିଥରେ ନିଜକୁ ଆବଦ୍ଧ କରେ

ସୁନା ପଞ୍ଜୁରୀରେ

ଦଂଶିତ ହୁଏ ଫେରି ଆସିଥିବା

ଲକ୍ଷ ଲକ୍ଷ ଡାଆଁସଙ୍କ ଦ୍ବାରା

ଅନେକ ଆବର୍ଜନା ଦ୍ବାରା

ମୋର ପରିପାର୍ଶ୍ବ ପୁଣି ଥରେ

ପ୍ରପୀଡ଼ିତ ହୁଏ

ଆଉ ଏକ ଶବଦାହ ପର୍ଯ୍ୟନ୍ତ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ସାଇ ସଂସାର, କୋକିଳା ବିହାର,

ଲେନ୍ସ ୨, ପୋଖରୀପୁଟ, ଭୂବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍