ଶିଶୁ
ଶିଶୁ
ଜନନୀ ଓଠରେ ହସ ଟିକେ ପାଇଁ
କେତେ ଦୟା କଲ ହରି
କୋଳରେ ସନ୍ତାନ ଅମୃତ ସମାନ
ଦୁଃଖ ଯାଏ ଅପସରି ।
ଭୂଲି ଯାଏ ମାତ ଦଶ ମାସ କଷ୍ଟ
ଶିଶୁ ତାର ପ୍ରାଣ ଧନ
ତା ବଦନ ଚାହିଁ ଜୀବନ ଯାତ୍ରାରେ
ଉଇଁ ଆସେ ପୂର୍ଣ୍ଣ ଜହ୍ନ ।
ଶିଶୁ ଓଠେ ଭରା ପିୟୂଷର ଝର
ଶିଶୁ ଯେ ଦେବ ଦୁର୍ଲଭ
ସେହି ଶିଶୁ ଆଣେ ନିବିଡ ବନ୍ଧନେ
ସେହ୍ନ ପ୍ରୀତି ଭାବ ଲାଭ ।
ବଇରି ମନରୁ ଲିଭେ ଯେ ଶତ୍ରୁତା
ଶିଶୁର ସଂପର୍କ ନେଇ
ରାଜୀବ ଲୋଚନ ନୟନ ତାହାର
ସକଳେ ହୁଅନ୍ତି ବାଇ ।
ଶିଶୁ କ୍ରନ୍ଦନରେ କରୁଣତା ଭରା
ଭଙ୍ଗ କରେ ନିରବତା
ଗଳାର ମାଳି ସେ ମାତା ପିତାଙ୍କର
ଧନ୍ୟ ଆହେ ସୃଷ୍ଟି କର୍ତ୍ତା ।
ଠୁକୁ ଠୁକୁ ଚାଲି ଖନି ଖନି କଥା
ଦେଖି ଜନେ ବିମୋହିତ
ତା ବିନା ଘରେ ଯେ ଶୂନ୍ୟତା ଖେଳଇ
ପ୍ରାଣ ହୁଏ ବିଭାଜିତ ।
କେବେ କୃଷ୍ଣ ରୂପେ ନଟକୁଟ କରେ
କେବେ ଘାଣ୍ଟେ ଧୂଳି ବାଲି
ମା ମା ସ୍ଵରେ ଝୁଣ୍ଟି ପଡ଼ି ଉଠେ
କେବେ ପୁଣି ଝୁଲି ଝୁଲି ।
ଶିଶୁର କଲ୍ୟାଣ ଗାଭୀ ମାତା କରେ
ହେଉ ପଛେ ତୃଣଭୋଜୀ
ନିତ୍ୟାନି ସୂଧାରେ କ୍ଷୁଧ୍ୟା ନିବାରଣେ
ଉପକାରେ ଥାଏ ମଜ୍ଜି ।
ସୌଭାଗ୍ୟରୁ ପ୍ରାପ୍ତ ଶିଶୁ ପରି ରତ୍ନ
ତୁଛ ଲାଗେ ରାଜଭୋଗ
ଶିଶୁ ମୂଲ୍ୟେ ଦେଇ କିଣି କି ପାରିବ
ସ୍ନେହ ପ୍ରୀତି ଅନୁରାଗ ।
ନିଷ୍ଠୁର ନିର୍ଦ୍ଦୟ ଭାବନା ମନକୁ
ବାନ୍ଧି ରଖ ପାଦ ତଳେ
ଶିଶୁ ହେଉ ଆମ ଅନ୍ଧର ଲଉଡି
ନବଞ୍ଚୁ ସେ ଅବହେଳେ ।
