ଶିଶିର ଭିଜା ସକାଳ
ଶିଶିର ଭିଜା ସକାଳ
ବିଛାଡ଼ି ହେଇ ପଡ଼ିଛି
ସୁନେଲି କିରଣ ଶୀତ ସକାଳରେ
ପୃଥିବୀର ଅଳସୀ ପଣତରେ
କୋମଳ ଶିଶିର ବିନ୍ଦୁ ସବୁକୁ ସ୍ପର୍ଶ କରି
ଝକ୍ ମକ କରୁଛି ଚାନ୍ଦି ପରି ।
ସାଥିରେ ଦୁଇ ଖଣ୍ଡ କାଠ ଆଉ
କୁଟା କାଠି ଦିଆସିଲି ବିଡ଼ା ନେଇ
କାଶିଆ ଅଜା ବସିଛନ୍ତି ନିଆଁ ପୋଇ ।
ରେବ ଆଇକୁ କହୁଛନ୍ତି ପାଟି କରି
ହେମ୍ବାଳ ହେଲାଣି ଦେହ ହାତ ମୋର
ଚାହା ଟିକେ ଦିଅ, କାହିଁକି କରୁଛୁ ଡେରି ।
କମ୍ବଳ ଟେ ଘୋଡ଼ି ରେବ ଆଇ
ଥୁରୁ ଥୁରୁ ପାଦେ ଚୁଲିପାଖେ ବସେ ଯାଇ
ରାଗ ଗର ଗର ହେଇ
କୁହନ୍ତି ବୁଢାଟା ଶାନ୍ତିରେ ଦେବନି ବସେଇ ।
ବାବୁନି ଉଠୁନି ବିଛଣା ଶେଯରୁ
କୁହେ ସତେ ଭାରି ଶୀତ
କାନରେ ଲଗେଇ ମୋବାଇଲ ତାର
ଶୁଣୁଛି କି ସବୁ ଗୀତ ।
କୁ କୁ କୁ କହି କୁକୁଡ଼ା ରାବିଲା
ସନିଆ ଗଲା ବିଲକୁ
ଚାରିଆଡେ ଖାଲି କୁହୁଡ଼ି ରେ ଭରା
ଦିଶେନି କିଛି ଆଖିକୁ ।