STORYMIRROR

Biswanath Nayak

Others

4  

Biswanath Nayak

Others

ଶିଳ୍ପୀ

ଶିଳ୍ପୀ

1 min
190


ମୁଁ ଶିଳ୍ପୀ,ମୁଁ କାରୀଗର। 

ନିହାଣ ମୂନେ ଫୁଟାଏ,

ସାମାନ୍ୟ ପଥର ମୁଖେ ହସର ଜୁଆର।  

କଳା କୋଣାରକ କାନ୍ଥେ ସେ ପଥର ନର୍ତ୍ତକୀ ସାଜେ। 

ସମୟର ତାଳେତାଳେ ପାଦର ନୁପୂର ତାର,

ଛନ୍ଦ ତୋଳି ରୁଣୁଝୁଣୁ ବାଜେ।  

ମନ୍ଦିର ବେଢାରେ ଯିଏ ହୋଇଥାଏ ଅଲୋଡା ପଥର। 

ମୋ କର ପରଶରେ ,

ସିଂହାସନେ ପାଏ ପୂଜା ସାଜିଣ ଠାକୁର। 

ନିର୍ଜୀବ ସଜୀବ ହୁଏ ମୋ ହାତ ଛୁଆଁରେ। 

ମୂକଶୀଳା ସାଜି ମୁଖଶାଳା,

ବଖାଣେ ଅତୀତ ଗାଥା,

ଲେଖିଦେଇ ଇତିହାସ ସମୟ ପୃଷ୍ଠାରେ। 

ମୁଁ ଗଢଇ ଦେବତା, ମୁଁ ଗଢେ ମନ୍ଦିର। 

ଯେତେ ଅସୁନ୍ଦର ଶୀଳା,

ମୋର କଳା କଉଶଳେ ଲାଗଇ ସୁନ୍ଦର।  

ଦୁନିଆଁ ରେ ଅଛି ଯେତେ କଳା ଓ ସ୍ଥାପତ୍ୟ,

ସବୁ ମୋ ହାତର ଖେଳ ସବୁ ମୋ ସୃଜନ।  

ମୋ ହାତର ଯାଦୁକରୀ,

ନିର୍ଜୀବ ପାଷାଣ ଦେହେ ଦିଏ ଜୀବଦାନ। 

ହେ ଶିଳ୍ପୀ ! ହେ କାରୀଗର!                         

ଗୁଣୀ ଓ ବିଦ୍ଵାନ ତୁମେ,                          

ଶୋଭା ପାଏ ନାହିଁ ତୁମଠାରେ ଅହଂକାର।    

ଅହଂକାର ଅଟେ ଶତ୍ରୁ ଗୁଣୀ ଆଉ ବିଦ୍ଵାନ ଜନର। 

ପୃଥି,ଆପ,ତେଜ ଆଉ ବାୟୁ ଆକାଶକୁ ନେଇ,

ପଞ୍ଚଭୂତେ ଗଢା ଏହି ତୁମର ଶରୀର,                  

ଅଟେ ପରା ଖଣ୍ଡିଏ ପଥର। 

ଯାହା କର ପରଶରେ ,                            

 ତୁମ ମୁଖେ ଫୁଟିଅଛି ହସ,

ଯାହା ନିହାଣ ମୂନରେ,

ତୁମ ଦେହେ ବହୁଛି ନିଶ୍ଵାସ,

ସେ ହିଁ ଅଟେ ଏକମାତ୍ର ଶିଳ୍ପୀ,

ସେ ହିଁ ଅଟେ ଏକା କାରୀଗର।  

ପଞ୍ଚଭୂତ ପଥରରେ ଖୋଳି ଆଖି କାନ,

ଗଢିଛି ସେ କଥାକୁହା ମଣିଷ ଶରୀର। 

ସେ ଶରୀର ଘରେ ରହି,

ଯେତେ କଳା ଯେତେକ ସ୍ଥାପତ୍ୟ,

ଗଢୁଛି ସେ ଏକ କାରୀଗର। 

ସବୁଠି ତାର ପରଶ,

ତୁମେ ଖାଲି ନିମିତ୍ତ ମାତର।  

ଯେଉଁଦିନ ଏ ଶରୀର ଛାଡି,

ଚାଲିଯିବ ସେହି ଶିଳ୍ପୀ, ସେହି କାରୀଗର। 

ଶିବ ପାଲଟିବ ଶବ,

ତୁମେ ପୁଣି ପାଲଟିବ ଅଲୋଡା ପଥର।                  

ତୁମେ ଶିଳ୍ପୀ ସେ ବି ଶିଳ୍ପୀ,                       

ସେ ଅଂଶୀ ତୁମେ ଅଟ ଅଂଶ।            

ଯେତେ ପାର ଗଢିଯାଅ ,

କଳା କୋଣାରକ,

ଛାଡି ଅହଂକାର,

ରଖି ତାଠାରେ ବିଶ୍ଵାସ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍