ଶୀତୁଆ ଗାଁପରିମଳ
ଶୀତୁଆ ଗାଁପରିମଳ
ଶୀତ ଆସେ ଘନେଇ ଘନେଇ ଭାଇ
ଜଳୀୟ ବିନ୍ଦୁ ଯାଏ ଘନେଇ ଘନେଇ l
ଆମ୍ବ ତୋଟାର ବଉଳପୁଞ୍ଜର ଭାଳେଣି
କୁହୁଡ଼ି ନଆସିବାକୁ କରନ୍ତି ଗୁହାରି l
ହନୁସର୍ଦ୍ଦାର ବସେ ଯାଇ ବର ଶିଖରେ
ସକାଳ ସୁନେଲିଖରା ପୁଇଁବାକୁ ଆକୁଳେ l
ଗାଁର ବୃକ୍ଷଲତା ବାଡ଼ି ବଗିଚା ପାହାଡ଼
ଅପୂର୍ବ ଦିଶନ୍ତି ସଦା ଘେନି କୁହୁଡ଼ି ତୋଡ଼ l
ପାଣି ପବନ କାକର ଭିଜା ଜନପଦ
କୁହୁଡ଼ି ବଳୟେ ଲୁଚି ଖୋଜନ୍ତି ଆସ୍ପଦ l
ଗାଁ କନିଆଁ ଗଣ ଧାବନ୍ତି ଶୀତକୁ ଡରି
କାଖେ ଜାକି ଗରା ଢାଳ ଓଢ଼ଣା ଟାଣି l
ମଦନା ସଅର ଠେକା ଭିଡ଼ି ଗାମୁଛା ପିନ୍ଧି
ବିଡ଼ି ଟାଣି ଟାଣି ଖୋଜି ତୋଟାର କନ୍ଦି l
ପେଟରୁ ପୁରୀଶ ଖଲାସି ପାଏ ଉଶ୍ୱାସ
ପୋଖରୀ ଭିତରେ ପଶି ଛାଡ଼େ ନିଶ୍ୱାସ l
ନରିଆ ନନା ଗାଧେଇ ତୁଠରେ ଠିଆ
କମଣ୍ଡଳୁ ପାଣି ଅର୍ପି ରବିଙ୍କୁ ମାରି ମୁଣ୍ଡିଆ l
ଚାଷୀଭାଇ ଭଉଣୀ ଗଣେ ବିଲ ମୁହାଁ
ତଦାରଖ କରନ୍ତି ରବିଶସ୍ୟ ଅଛାନିଆ l
ଚାଟଶାଳୀ ପିଲାଏ ବହିବସ୍ତାନି ଧରି
ମୁହୁଁ ବାଷ୍ପଛାଡ଼ି ଯାଆନ୍ତି ଦୌଡ଼ି ଦୌଡ଼ି l
ସୂର୍ଯ୍ୟରଶ୍ମି ଭେଦି ଆସି ଘନ କୁହୁଡ଼ିଛାତି
ପଡ଼ଇ ଧରା ପୃଷ୍ଠେ ନାଶି ଶୀତ ଅରାତି l
ଗୋଧୂଳି ଲଗନ ଧୂଳି ନଦିଶେ ବେଶୀ
ରବି ଗମନ୍ତି ଚକ୍ରବାଳେ ବିଶ୍ରାମ ଆଶେ l
ସନ୍ଧ୍ୟାରାଣୀଙ୍କର କର୍ତ୍ତବ୍ୟ ପାଳନ କ୍ରମେ
ଦୀପଜାଳି ନମନ୍ତି ଘରଣୀଗଣ ସ୍ୱଧାମେ l
ବୃନ୍ଦାବତୀଙ୍କୁ କରିଣ ପ୍ରଣାମ ସସ୍ନେହେ
ରାତିକରମେ ରତ ଘରଣୀ ଅତି ଆଗ୍ରହେ l
ଭାଗବତଟୁଙ୍ଗୀ ହୁଏ ସରଗରମ ତେବେ
ଭକ୍ତଗଣ ସେଠି ରୁଣ୍ଡହୋଇଥାନ୍ତି ଯେବେ l
ରାତି ଦିଘଡ଼ି ସୂଚାଏ ପହରିକିଆ ବିଲୁଆ
କିଆବୁଦାମୁଳୁ ଡାକେ ପାଟିରୁ କାଢ଼ି ନିଆଁ l
ନିଦରାଣୀଙ୍କର କୋଳେ ସଭିଁଏ କିମିଆ
ଦିନଶ୍ରମକ୍ଲାନ୍ତିରୁ ପାଆନ୍ତି ରିହାତି ଦୁନିଆଁ l
ଶୀତଥରା ଦେହେ ପକାନ୍ତି କମଳରୁମିଆ
ଉଷୁମଟାଣି ଲୋକେ କାଟି ରାତିବଢ଼ିଆ l
ଶୀତରାଣୀ ଆମ ଅତି ଲକ୍ଷ୍ମୀବତୀ ସଦା
ପ୍ରକୃତି-ଦୁହିତା ସେତ ଅନ୍ନଦାତ୍ରୀ ବରଦା l
ପ୍ରତି ବରଷ ଆସି ଏମିତି ମରତଧାମକୁ
ଶିରୀଦାନକରି ଫେରନ୍ତୁ ଅଳକାପୁରୀକୁ l
ଋତୁଚକ୍ର ହେଉ ଶୃଙ୍ଖଳିତ ଜନପଦେ
ବିଶ୍ୱବାସୀ କେବେ ନରୁହନ୍ତୁ ପ୍ରମାଦେ l