ଶୀତ ହେ ତୁମେ ଯାଅନା
ଶୀତ ହେ ତୁମେ ଯାଅନା
ହେ ଶୀତ ତୁମେ ଯାଆନା ଆମକୁ ଧରାପୃଷ୍ଠେ ଏକେଲା ଛାଡ଼ି,
ଝୁରିବୁ ତୁମକୁ ଆମେ ଧରିବୁ ନିଶ୍ଚୟ ତୁମକୁ ଜାବୁଡ଼ି ଅଣ୍ଟା ଆମ ଭିଡ଼ି l
କେତେ ମଜା ଲାଗୁଛି ଶୋଇବା ସୁଖ
ରାତିରେ ଢାଙ୍କି କମଳ,
ଚା କଫି ପାନରେ ନିଜକୁ କରୁ
ଆପ୍ୟାୟିତ ନଖାଇ ପଖାଳ l
ତୁମର ଆସର ବଣଭୋଜୀର ଆନନ୍ଦ
ପ୍ରବଳ ମନ ପ୍ରାଣେ,
କାନ୍ଦି କାନ୍ଦି ଶିଶୁ ବିକଳେ ଥଣ୍ଡାରେ
ମା କୋଳେ ଶୁଏ ଆକୁଳେ l
ଯଦି ବା କେବେ ହୁଏ ମେଳା ଗଣନାଟ୍ୟ ଗାଁ ପ୍ରାଙ୍ଗଣେ,
ଗ୍ରାମ ବାସୀ କରନ୍ତି ଉପଭୋଗ
ବସି ତମ୍ବୁ ତଳେ,
କୁହୁଡ଼ି ଘେର ମଜା ନିଅନ୍ତି ପିଲାଏ
କରି ପାଟିରୁ ବାଷ୍ପ ଉଦ୍ଗିରଣ,
ନକଲି ସିଗାରେଟ ପିଆ ଖେଳ ଖେଳି
ସେମାନେ ଧାନ୍ତି ସ୍କୁଲ୍ କୁ ସହଳ l
ଆଈମା ଖୋଲନ୍ତି ତାଙ୍କର ଗପ ମୁଣି
ରାତିରେ ପାକୁଆ ପାଟିରେ ଚୋବେଇ
ପାନ,
ଶୁଣାନ୍ତି ନାତି ନାତୁଣୀଙ୍କୁ ତାଙ୍କ ଢାଙ୍କି ଚାଦର ଦେହେ କରି ଚାହା ପାନ l
ନବ ବିବାହିତ ଦମ୍ପତି ଯୁଗଳ ଖେଳି
ଚଉଠି ରାତିରେ ସୁରତିଖେଳ,
ପ୍ରସଂଶନ୍ତି ତୁମକୁ ହେ ଶୀତ ସରାଗେ
ନୁଆଁ କୁଣିଆ ଆଶାରେ ହୋଇ
ପ୍ରଫୁଲ୍ଲ l
ସାଥୀ ତରୁଣ ତରୁଣୀଗଣ ପ୍ରମୋଦ ଉଦ୍ୟାନେ ବାର୍ତ୍ତାଳାପେ ଯାଆନ୍ତି ମଜ୍ଜି,
ଚିନା ବାଦାମ, ଝାଲ ମୁଢ଼ି ଚାଟ ଆମଲେଟ ଅସ୍ୱାଦନେ ହୋଇ ମସଗୁଲ ଫେରନ୍ତି ଘରକୁ ବାଟ ଖୋଜି ଖୋଜି l
ଶୀତ ସକାଳ ଦିଏ ଆନନ୍ଦ ଚାଷୀ ଗଣେ ମଫସଲେ ଗଲାବେଳେ ବିଲକୁ ମୁଣ୍ଡେ ଠେକା ଭିଡ଼ି,
ବିଲହିଡ଼ ତଳୁ ଡରାଣ୍ଡି ଆଣନ୍ତି ଛୋଟ
ମାଛ ମାଣ୍ଡିଆ କଙ୍କଡ଼ା ତୋଡ଼ି l
ଫେରନ୍ତି ଘରକୁ ସେମାନେ ହେଇ ଖୁସି ଅତି ଆଇଁଷ ଘେନି ସାଥେ,
ସମର୍ପି ଦିଅନ୍ତି ଘରବାଲିଙ୍କୁ ରାନ୍ଧିବାକୁ
ରାତି ଖୋରାକ ମାଛଭଜା ଆଉ ତରକାରୀ ଚକୁଳି ସାଥେ l
ଯଦିବା ହେ ଶୀତ ଦିଅ ବୁଢ଼ାବୁଢ଼ୀଙ୍କୁ
ଚଳଣି କଷଣ ତୁମ ପ୍ରଭାବେ,
ମାତ୍ର ଯୁବା ଯୁବତୀଗଣ ହୁଅନ୍ତି କର୍ମଠ
ତୁମର ପ୍ରସାଦୁ ଭବେ l
ହେ ଶିଶିର ଆସୁଥାଅ ତୁମେ ଏମିତି ପ୍ରତି ବରଷେ ଦେଇ ଆମକୁ ଆନନ୍ଦ
ମନ ପ୍ରାଣେ,
ଫେରୁଥାଅ ଏମିତି ସଦା ସରସ ମନେ
କରିବାକୁ ଖୁସି ଆହୁରି ଆମକୁ ଋତୁରାଜ ବସନ୍ତ ଆହ୍ୱାନେ l