ଭାବ ତରଙ୍ଗ
ଭାବ ତରଙ୍ଗ
ମନ ସାଗରେ ଖେଳେ କେତେ ଢେଉ
ନାଲି ନେଳି ଆଦି ସପ୍ତରଙ୍ଗ ର ଭାଉ ।
ଅତୀତ ବର୍ତ୍ତମାନ ଭବିଷ୍ୟତର ସପନ
ଗଣ୍ଠି ବାନ୍ଧି ରହେ ହୃଦକନ୍ଦରେ ଗୋପନ ।
ଲିଭିଲିଭି ଯାଏ ପୁରୁଣା ବରଷ ଆସର
ନୂଆବରଷକୁ ତ କରିବୁ ଆମେ ଆଦର ।
ପଙ୍କିଳ କରଣେ ନାହିଁ ମନ ଆମର ଆଜି
ପଙ୍କଜ ଉତ୍ପାଦନେ ମନ ହୁଏ ଆମ ରାଜି ।
ପ୍ରେମର ମହକେ କମ୍ପେ ଆଜି ମେଦିନୀ
ସେତ ନୁହେଁ ସୃଷ୍ଟିରତା ବରଂ କଳଙ୍କିନୀ ।
ଅତୀତ ଶୁଭ ରଙ୍ଗ ତରଙ୍ଗ ଖେଳାଏ ହସ ।
ଅତୀତ ଅଶୁଭ ସ୍ମୃତିପୁଞ୍ଜ ପିଆଏ ବିଷ ।
ଚାହୁଁନା ଆମେ ଅତୀତ ବରଷର ବିଷ
ମାତ୍ର ପିଇବାକୁ ଚାହୁଁ ନୂଆବର୍ଷର ପିୟୁଷ ।
ପୁରୁଣା ଦାଗ ଆସ କରିବା ସଫା ପ୍ରେମେ
ଦିବ୍ୟ ପ୍ରେମୀ ସାଜିଆସ ନୂଆବର୍ଷ ତୁମେ ।
ପାଛୋଟି ନେବୁ ତ ତୁମକୁ ଦୁଆର ମେଲି
କେବେ ଭାଷିବୁନି ହତାଦର ବାକ୍ୟ ଖାଲି ।
ମାନବୀୟ ମିଷ୍ଟପୁଟୁଳା ଦିଅ ତୁମେଖୋଲି
ବାଣ୍ଟିଣ ଖାଇବୁ ସଭିଏଁ ହୃଦୟକୁ ମେଲି ।
ବିଗତ ବରଷ ଦେଇଛି ଆମକୁ ଖଟାମିଠା
ହସାଇ କନ୍ଦାଇ ଯାଇଛି ନହେଇ ସୁଣ୍ଠା ।
ଆମେ ନଚାହୁଁ ଆଉ ରାଗ ଆମ୍ବିଳା ସୁଆଦ
କେବଳ ଲୋଡ଼ା ତୁମ ସେ ମଧୁରପ୍ରସାଦ ।
କେତେ ସୁନ୍ଦର ଛବି ଏଇ ଧରଣୀରାଣୀର
ଆହୁରି କର ତାକୁ ସୁନ୍ଦର ଆହେ ଈଶ୍ୱର ।