ଶୀତରାତି
ଶୀତରାତି
ଶୀତପାଇଁ ସିନା ପ୍ରୀତିର ହାଟରେ
ରାତିର ଚାହିଦା ବଢ଼ିଛି
ସଞ୍ଜ ନଇଁ ଗଲେ ପ୍ରିୟା ଜୁଡା ବାନ୍ଧି
ପ୍ରିୟର ବାଟକୁ ଚାହୁଁଛି ।
ପ୍ରେମର ପ୍ରଶାନ୍ତ ମହାସାଗରରେ
ଉଜାଣି ସ୍ରୋତ ଯେ ବହୁଛି
ଦେହେ ମନେ ଆଜି ଏ କି ଶିହରଣ
ମାଘର ମହନି ଲାଗିଛି ।
ଶୀତ ସଜେଇଛି ରୂପସୀ ରାତିକୁ
ଵାସୁଛି ସେ ନିଶିଗନ୍ଧା
କେବେ ରାଗିଣୀର ରାଜକନ୍ୟା ଟିଏ
ସତେକି ରଜନୀଗନ୍ଧା ।
ଶୀତ ସରିସରି ଯାଏ ସିନା ପ୍ରିୟ
ପ୍ରେମ ଆମ ସରିନାହିଁ
ପ୍ରୀତିର ପାଉଣା ଅଧା ରହିଗଲା
ପରିଶୋଧ ହେଲାନାହିଁ ।
ରାତି ରାଜପଥେ ସୁନ୍ଦରୀ ଶୀତଟା
ପ୍ରୀତିର ପସରା ମେଲିଛି
ପ୍ରେମ ସରିଯିବ ପ୍ରିୟ କିଣିନେଵ
ଦୂରଭାଷେ ଜଣାଇଛି ।
ରାତିଏ ପ୍ରୀତି ମୁଁ ମାଗିଛି ପ୍ରିୟକୁ
କିଛି କ୍ଷଣ ରହ ଶୀତ
ମଧୁଶାଳା ଏବେ ନିଶ୍ଚେ ମହକିବ
ଗାଇ ମିଳନର ଗୀତ ।
ଶିଶିରର ରାତି ଆଙ୍କେ କେତେ ସ୍ମୃତି
ଦରଭିଜା ତନୁମନେ
ଅସୁମାରୀ ସ୍ବପ୍ନ ଉଙ୍କି ମାରୁଥାନ୍ତି
ତନ୍ଦ୍ରାଭରା ସେ ନୟନେ ।
ପାହାନ୍ତି ପ୍ରହର କାକର ପ୍ରଖର
ଉଷ୍ମ ଆଲିଙ୍ଗନ ଲୋଡା
ଚକୋର ଚକୋରୀ ହେଉଥାନ୍ତି ଘାରି
ଭୋଗୁଥାନ୍ତି ପ୍ରୀତିପୀଡା ।
ଧନୀ ସଉକରେ କମ୍ବଳ ରେଜେଇ
ପଶମ ପୋଷାକ ପିନ୍ଧେ
ଗରିବର ଦେହ ଫୁଙ୍ଗୁଳା ମୁକୁଳା
ଅସରନ୍ତି କୋହ ରୁନ୍ଧେ ।
ହିମପ୍ରଵାହରେ ରାତି ପ୍ରୀତି ଦୁହେଁ
ମହମହ ହୋଇ ବାସେ
ନିଦ ଆଉ ସ୍ବପ୍ନ ଲୁହେ ଭିଜିଲେଣି
ଶୀତ ଫେରିବାକୁ ବସେ ।