ଶୀତଳ ଷଷ୍ଠୀ
ଶୀତଳ ଷଷ୍ଠୀ
ବାଜା, ବାଣ, ରୋଷଣିରେ ଦୁଲୁକୁଛି ସହର,
ବର ବେଶେ ଆସୁଛନ୍ତି ବାବା ଭୋଳା ଶଙ୍କର।
ମହିମା ଶୁଣ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିର,
ମିଳନ ହୋଇବ ରୁଦ୍ରରୂପ ଓ ମାତା ପାର୍ବତୀଙ୍କର।
ସତୀଙ୍କ ବିରହରେ ଭୋଳା ଘେନି ରୁଦ୍ରରୂପ,
ପ୍ରଚଣ୍ଡ ତାଣ୍ଡବେ ଧରଣୀ ପାଲଟିଲା ଧ୍ୱଂସସ୍ତୂପ।
ତ୍ରାହି ତ୍ରାହି ଆର୍ତ୍ତନାଦ କରନ୍ତି ସକଳ,
ଅକାଳରେ ବିନାଶିବେ ସୃଷ୍ଟି ରୌଦ୍ରରୂପୀ କାଳ।
ଏଣେ ଦେଖ ଦୁଷ୍ଟ ଦାନବ ତାରକାସୁର,
ତ୍ରିଲୋକ ଜୟ କରିବା ଆଶେ କରି ତପସ୍ୟା ଘୋର।
ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ବାସୀଙ୍କୁ କରିଲା ଅତିଷ୍ଠ,
ବ୍ରହ୍ମାଙ୍କ ଶରଣାପନ୍ନ ହୋଇଲେ ଦେବଶ୍ରେଷ୍ଠ।
ସୃଷ୍ଟିକର୍ତ୍ତା କହନ୍ତି,
"ହେ ଦେବଗଣ, ଶୁଣ ଦେଇ ମନ ଧ୍ୟାନ,
ତାରକାସୁରର ବିନାଶ ବିଧାନ।
ମହାଦେବଙ୍କ ଔରସରୁ ଯେଉଁ ସନ୍ତାନ ଜନ୍ମିବ,
ତାରକାସୁର ପ୍ରାଣ ସେହି ବୀର ହରଣ କରିବ।
ଆଦିମାତା ସ୍ମରଣେ କରିବ ତପସ୍ୟା,
ତେବେ ଯାଇ ଟଳିବ ଏ ଜଟିଳ ସମସ୍ୟା।"
ଅଖଣ୍ଡ ଭକ୍ତିଭାବେ କରିଣ ତୋଷ,
ଲଭିଲେ ଦେବତାଗଣ ଆଦିମାତାଙ୍କ ଆଶିଷ।
ହିମାବତୀ ପାର୍ବତୀ ରୂପେ ହୋଇଲେ ପ୍ରକଟ,
ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀରେ ହରପାର୍ବତୀଙ୍କର ଭେଟ।
ଦେବ ଦେବ ମହାଦେବଙ୍କର ଶୁଭ ପରିଣୟ,
କୋଟି ବ୍ରହ୍ମାଣ୍ଡ ଉତ୍ସବମୁଖର ଦେଖି ସତ୍ୟର ବିଜୟ।
ପୁନଃମିଳନେ ରୌଦ୍ରରୂପ ଶାନ୍ତ ହୋଇଲା ତୁରିତ,
ଶିବ-ଶକ୍ତିଙ୍କ ଦୈବୀମିଳନ "ଶୀତଳଷଷ୍ଠୀ" ନାମେ ଖ୍ୟାତ।
