ଶୀତ
ଶୀତ
ଆଞ୍ଜୁଳା ଆଞ୍ଜୁଳା କାକର ବିନ୍ଦୁରେ
ପାଦ ଥାପିଦେଲୁ ତୁହି
ପସରା ପସରା ଶୀତ ବାଣ୍ଟିବାକୁ
ଆସିଲୁ ସଜେଇ ହୋଇ।
କାକର ଟୋପା ତ ମୁକୁତାର ଭ୍ରମ
ବାରତା ଦିଅଇ ତୋର
ରଙ୍ଗବେରଙ୍ଗର ଫୁଲର ସମ୍ଭାର
ଭରିଛି ଚାଙ୍ଗୁଡି଼ ତୋର।
ବାଳ ସୂରୁଜଙ୍କ ଚାହାଣୀରେ ପରା
ଉଷୁମ ମଣଇ ମହୀ
ତୋର ନିର୍ଯ୍ୟାତନେ ଥୁରୁଥୁରୁ ହୋଇ
ଗରମ ଖୋଜଇ ସେହି।
ହସି ଉଠେ ବିଲ ତୋହରି ପରଶେ
ଉଭା ହୋ'ନ୍ତି ଲକ୍ଷ୍ମୀ ମାତା
ସୁନାର କ୍ଷେତ ତ ସୁନା ଫଳେ ନିତ୍ୟ
ପୂଜୁଥାଏ ପତିବ୍ରତା।
ଯଉବନ ତୋର ସବୁଜ ସୁନ୍ଦର
ଚିରସବୁଜ ତୁ ଅଟୁ
ଭଲ କହି କିଏ କୋଳେଇ ନିଏତ
କିଏ କହେ କଥା କଟୁ।
ସଂଯମ ତୋହର ଚିର ସହଚର
ଢାଙ୍କି ହୋଇଥାଏ ତନୁ
ଆପାଦ ମସ୍ତକ ବସ୍ତ୍ରରେ ଆବୃତ
ରକ୍ଷଣଶୀଳତା ମନୁ।
ଧରାକୁ ଓହ୍ଲାଇ ଆସୁ ଯେବେ ତୁହି
ହସିଉଠେ ବସୁମତୀ
ଦୁର୍ଗତୀନାଶିନୀ ପୁଣି ମହାଲକ୍ଷ୍ମୀ
ଜଣ ପରେ ଜଣେ ଏଠି।
ନଈ ପଠା କୂଳେ କାଶତଣ୍ଡୀ ପରା
ଦିଶୁଥାନ୍ତି ଶୋଭା ପୁଣି
ଶ୍ୱେତର ଓଢ଼ଣୀ ଘୋଡେଇ ଧରଣୀ
ସାଜିଥାଏ ପୂଜାରିଣୀ।
ତିମିର ବିନାଶି ଜଳୁଥାଏ ଅଗ୍ନି
ଲୋକେ ହୋଇଥାନ୍ତି ଠୁଳ
କେତେବେଳେ ସିନା ଅଗ୍ନିର ପ୍ରକୋପ
କରୁଥିଲେ ପରା ଦୂର।
କାର୍ତ୍ତିକ ଆସଇ ଧର୍ମ ବରଷଇ
ଚଉଁରାତ ଲିପାପୋଛା
ନାନା ରଙ୍ଗେ ଝୋଟି ପଡ଼ଇ ମୁରୁଜେ
ହବିଷ ଅନ୍ନର ଛଞ୍ଚା।
ମାର୍ଗଶିର ଆସେ ଶୁଭେ ହୁଳହୁଳି
ମହାଲକ୍ଷ୍ମୀ ବିଜେସ୍ଥଳୀ
ପଉଷର ଶୀତ ହାଡ଼ ଭଙ୍ଗା ଅଟେ
ମାଘରେ ଶୀତ ବାଉଳି।
ଅଟୁ କିନ୍ତୁ ତୁହି ସୁନ୍ଦର ସୁଷମ
ଦୁର୍ମୂଲ୍ୟ ତୋହର ଛାଇ
ତୋ ଗୁଣଗାରିମା ନିତ୍ୟ ଯେ ବର୍ଣ୍ଣନା
କରିବାକୁ ହେଜ ନାହିଁ।