ଶୀତ
ଶୀତ
ଶୀତ ଗାଏ ଗୀତ ସୋରିଷ କ୍ଷେତରେ ପତ୍ର ଗହଳରୁ ଆସି,
କାକର ମୁକୁତା ଖସି ପଡ଼ୁଅଛି ପତର ଦେହରେ ବସି |୧|
ଶୀତ ଆସୁଅଛି ଦେହରୁ ଦେହକୁ ଛୁଇଁ ଛୁଇଁ ଦେହ ଗାଲ,
ଶୀତୁଆ ସକାଳ ନରମ ଶେଯରେ ସତେ ଲାଗେ କେତେ ଭଲ |୨|
କାଲୁଆ ପବନ ଶିରୀ ଶିରୀ ବହେ ଜାଡ଼ିଯାଏ ଦେହ ହାତ,
ନିଆଁ ଅନ୍ତରାକୁ ମନ ଖୋଜୁଥାଏ ଛାଡ଼ିଯିବ ପରା ଶୀତ |୩|
ପାହାଡ଼ ଦେହରେ ଧଳା ବଉଦିଆ କୁହୁଡ଼ି କରୁଛି ନାଟ,
ଟିକି ଟିକି ଫୁଲ ପବନରେ ନାଚି ଖୋଜୁଥାନ୍ତି ନୂଆ ବାଟ |୪|
ଚଉଦିଗ ହସେ ଫୁଲର ମହକେ ଶୀତୁଆ ସୂରୁଯ ମେଳେ,
ଉଡ଼େ ପ୍ରଜାପତି ଫୁଲରୁ ଫୁଲକୁ ପାଖୁଡ଼ା ଉପରେ ଖେଳେ |୫|
ସଞ୍ଜ ନଇଁଆସେ ଶୀତର କମ୍ବଳେ ଟିକି ପିଲା ମନ ନେଇ,
ଶୀତୁଆ ରାତିଟା ଲମ୍ବା ହୋଇଯାଏ କାକର ବିନ୍ଦୁକୁ ଦେଇ |୬|
ଦେହେ ସିଉଟର ମୁଣ୍ଡେ ମଫଲର କିଏ ପିନ୍ଧେ ଶୀତ ଟୋପି,
ସକାଳ ବୁଲାଟା ହାତେ ବାଡ଼ିଧରି ଚଲାହୁଏ ଗପି ଗପି |୭|
ଶୀତୁଆ ସନ୍ଧ୍ୟାଟା ଭାରି ମଜାଦାର ହୋଇଥିବ ଯଦି କଫି,
ଗରମ ପାନୀୟ ଚାହା କପ ଧାରେ ଓଠ ରହିଥିବ ଲାଖି |୮|
ହାଡ଼ଭଙ୍ଗା ଶୀତ ଆସେ କେବେ କେବେ ଜଳକୁ ବରଫ କରି,
ମନ ହୁଏ ନାହିଁ ଛାଡ଼ିବାକୁ ଶେଯ ଦେହ ଯାଉଥାଏ ଥରି |୯|
ରାତି ବଢ଼ିହୁଏ ଦିନଟା ତ ଛୋଟ ରାତି ସରେନାହିଁ ମୋଟେ,
ତଥାପି ଶୀତଟା ଭାରି ମଜାଦାର ସଂସାର ରୀତିରେ ଘଟେ |୧୦|
