ଶୀତ
ଶୀତ
ହେ ! ଶୀତ ତୁମେ ଆଜି ଫେରି ଯାଅ
ଫେରି ଯାଅ ତୁମ ଘରେ
ନିରାଶ୍ରୟ ଲୋକେ କିପରି ରହିବେ
ଦୀନ ହୀନ ରାସ୍ତା ପରେ ।
ତୁମର ପ୍ରକୋପ ହାଡ଼ ଭଙ୍ଗା ଶୀତ
ସହି ତ ପାରିବେ ନାହିଁ
ସରଳ ପ୍ରାଣଟି ଅବହେଳା ପାଇ
କାନ୍ଦିବ ଯେ କଇଁ କଇଁ ।
ତୁମେ ଯେ ଆସିଛ ଅମୀର ହସୁଛି
ଉଷୁମ ବସ୍ତ୍ରର ତଳେ
ହସେ ପ୍ରିୟତମା ପ୍ରିୟତମ ପାଇଁ
ଜଳିବାକୁ ପ୍ରେମାନଳେ ।
ତୁମେ ଯେ ଆସିଛ ଜାଣି ପାରି ଆସେ
ଶିଶିର ବୃକ୍ଷରେ ଫଳ
ସେ ଫଳକୁ ନେଇ ନବ ବଧୁ ପରା
କରିଛି ଗଳାର ମାଳ ।
ତୁମେ ଯେ ଆସିଛ ପୂରବେ ଉଇଁଛି
ଅଳସୁଆ ଶୀତ କର
ନଦୀ ପଠାଟାରେ ବିଛେଇ ପଡ଼ିଛି
ଧରିବାକୁ ପ୍ରିୟ କର ।
ତୁମେ ଯେ ଆସିଛ ଅଷ୍ଟମୀ ଜହ୍ନଟା
ଗରବେ ଉଠିଛି ମାତି
ଏଣ୍ଡୁରି ପିଠାର ବାସ ମହକରେ
ଫୁଲେଇ ଚାଲୁଛି ଛାତି ।
କେତେ ଆନନ୍ଦକୁ ଢାଳି ଦେଲ ଶୀତ
ସଂସାର ମଙ୍ଗଳ ପାଇଁ
ଖଣ୍ଡିଏ ବସ୍ତ୍ରକୁ ଦେଇ କି ପାରିବ
ଗରିବ ତନୁକୁ ଚାହିଁ ।
