ଶୀତ
ଶୀତ
(-ରାଗ---ଚୋଖି )
ହେମନ୍ତ ବିଦାୟେ ଲିପ୍ତ ନବ ଯୌବନରେ ଶୀତ
ମଧୁସିକ୍ତ ମତ୍ତେ ହେଲା ତା ଆଗମନ
ଧରଣୀ ଦିଶେ ସୁନ୍ଦର ଲେପନ ଶୁଭ୍ର ଶିଶିର
ବର୍ଣ୍ଣ-ବିଭା ମାଧୁରିମା ରାଗ ବର୍ଷଣ
ଅନିନ୍ଦ୍ୟ ସୌନ୍ଦର୍ଯ୍ୟ ଭାସିନୀ
ମନ୍ଦ ମୃଦୁ ଶିହରଣ ପ୍ରକୃତିରାଣୀ
କୁଝ୍ଜଟିକାମୟ ଶୀତ ନବୀନକାନ୍ତି ଚିତ୍ରିତ
ମାର୍ଗ ଅସ୍ପଷ୍ଟ ,ଦିବା ଭୀତି ସଞ୍ଚାରେ
ଦୁର୍ବଳ ରବିକିରଣ ଧ୍ବନି ଜାଳି ଗ୍ରାମଜନ
ଶୀତସଙ୍ଗୀତ ଗାଆନ୍ତି ହର୍ଷ ଚିତ୍ତରେ
ଚର୍ତୁଦିଗ କନକ କାନ୍ତି
ବିଚ୍ଛୁରିତ ସୂର୍ଯ୍ୟାଲୋକ ମନୋଜ୍ଞ ମତି
ଶାଳିଧାନ୍ୟର ସୁଷମା କ୍ଷେତ ବକ୍ଷେ ଉଭା ରମା
ମୁଖରିତ -ଗଗନ-ବିହଙ୍ଗମ ସ୍ବନ
ସରଣୀ ସାରସ କାନ୍ତି ରାଜୀବ ପୁଷ୍ପ ସୁକାନ୍ତି
ନୀଳ ବସନ ସମୀରେ ଦୋଳୟମାନ
ପାଦପ ପଲ୍ଲବ ନୀହାରେ
ଶଶ୍ୟ ପରିଧାନେ ଶୀତ ସୁମନୋହରେ
ବନଷ୍ପତି ଅଙ୍ଗେ ଫୁଲ ଭ୍ରମର ସଙ୍ଗେ ଶ୍ୟାମଳ
ନାନା ରଙ୍ଗେ ବିଭୂଷିତ ବନ୍ୟ ସମ୍ଭାର
କେଳି କୁସୁମ ,ତରାଟ ସୋରିଷ ଫୁଲ ଚହଟ
ସଦାବିହାରୀ,ଶେଫାଳି ଓ କନିଅର
ସତେକି ସଜ୍ଜିଛି ବିପଣୀ
ଶୀତ ଧରି ବିକୁଅଛି ହୋଇ ମାଳୁଣୀ
ଲିପାପୋଛା କରି ଘର ଅଗଣା,ଦାଣ୍ଡ ଦୁଆର
ଚଳଚଞ୍ଚଳ ସର୍ବଦା ଗ୍ରାମ ଗୃହିଣୀ
ଶୟନ ସୁଖକୁ ତେଜି ହିମ ଜଳେ ତନୁ ମାଜି
ଗୃହକାର୍ଯ୍ୟ ପାଇଁ ମନ ଦିଅଇ ପୁଣି
ପ୍ରାଚୀ ନଭୁ ପ୍ରତୀତ ଜ୍ୟୋତି
ରାତି ନ ପାହଣୁ ଶୁଭେ ଦେବ ଆଳତୀ
