STORYMIRROR

Kailash Chandra Sahani

Others

3  

Kailash Chandra Sahani

Others

!! ଶୀତ ସକାଳ ସେଦିନର.... !!

!! ଶୀତ ସକାଳ ସେଦିନର.... !!

2 mins
451

!! ଶୀତ ସକାଳ ସେଦିନର.... !!


ଶୀତ ସକାଳ ମୋ ସ୍ମୃତିର ଫରୁଆ

ଜୀବନର ଜଳ ଛବି

ଯେଉଁ ଛବି ପାଇଁ ଦୁନିଆ କୋଣରେ

କେବେ ମୁଁ ପାଲଟେ କବି !

ମନ ତଳ କଥା ଭାବି ....

ଅସରା ଲୁହର ପସରା ଧରି ମୁଁ

ଅସ୍ତଗାମୀ ଶେଷ ରବି ।।


ଶୁଭୁ ଥିଲା ଦିନେ ବାଉଁଶ ବଣରେ

କୁମ୍ଭାଟୁଆ ଭାଟ ସ୍ବର

କାଉ ର କାଆ ରେ ଭାଙ୍ଗୁଥିଲା ନିଦ

ସପନ ଘେରା ଅନ୍ତର ।

କୁହୁଡି ମାୟାର ଖେଳ....

ନଈ ପଠା ମୋର ଖରିବଣ ଭରା

ସିନ୍ଦୁରା ଫାଟିବା ବେଳ ।।


କିଚିରି ମିଚିରି ପକ୍ଷୀଙ୍କ କାକଳି

ନେତ ଗାଈ ହମ୍ବା ରଡି

ବୋଉ ଲିପୁଥିଲା ଗୋବର ମାଟିରେ

ଚୁଲି ଝିଙ୍କା ଦେଇ ଝାଡି ।

ଚାରି ଭାଙ୍ଗ କରି ଶାଢୀ....

ଯତନରେ କେତେ ସରାଗରେ ଦେହେ

ଦେଉଥିଲା ମୋର ବେଢି ।


ଆଈ ମାଆ ମୋର ଗୁହାଳ ଖରକେ

ଦାଣ୍ଡରେ ବାନ୍ଧଇ ଗାଈ

ବଳଦ ହଳକୁ କୁଣ୍ଡା ମଣୋହନ୍ତି

ଦାଦା ହସ ହସ ହୋଇ ।

ସାହାଡା କାଠି କୁ ନେଇ....

ଘସି ପାଉଁଶରେ ଦାନ୍ତ ମୁଁ ମଞ୍ଜାଏ

ପଖାଳ ଖାଇବା ପାଇଁ ।।


ପୂରୁବ ଦିଗରେ ଖଳା ବାରି ପରେ

ଜାଳେ କେ ଶୀତରେ ନିଆଁ

କୁହୁଡି କୁ ଭେଦି ଉଠି ସେ ପାରେନି

ଚାରିଆଡେ ଖାଲି ଧୂଆଁ ।

ପୋଖରୀ ହୁଡାରେ ଠିଆ .....

କେତେ ଭୁଆସୁଣୀ ଓଦାଲୁଗା ଦେହେ

ଲାଗୁଥାନ୍ତି ଦେବୀ ମାଆ ।।


ଧାନ ଉଁସା ହାଣ୍ଡି ଭିତରେ ଶିଝଇ

ବାରି ସାରୁ ବାଇଗଣ

ଭୋକ ବିକଳିଆ ଜାଣି ବୋଉ ମୋତେ

ଦିଏ ଦୁଧ ଭାତ ଲୁଣ ।

ସୂର୍ଯ୍ୟମୁଖୀ ଲଙ୍କା ଟାଣ....

ଘଣାପକା ସେଇ ସୋରିଷ ତେଲରେ

ଚକଟେ ସେ ବାଇଗଣ ।।


ଖାଇ ସାରି ପଢେ ବୋଉର ଆଦରେ

ଲେଖେ କେତେ ହସ୍ତାକ୍ଷର

ଖରା ପିଠି ହୋଇ ଶୀତ ସକାଳରେ

ଗାଏ କବିତାର ସ୍ବର ।

ସାହିତ୍ୟ ବହି କୁ ମୋର ....

ଯତନରେ ମେଲି ଘୋଷେ ମୁଁ କବିତା

ତୃପ୍ତ ହୁଏ ମୋ ଅନ୍ତର ।।


ଶୀତ ସକାଳରେ ଗୀତ ମୋର ଝରେ

ଗେଣ୍ଡୁ ଗଛେ ଦେଲେ ପାଣି

ହରଗଉରା ଓ ରଙ୍ଗଣୀ ଫୁଲରେ

ପ୍ରଜାପତି ର କି ଠାଣି !

ଡିଏଁ ଏଣେ ତେଣେ ବଣି....

ହଳଦୀ ମଖା ସେ ସୋରିଷ କ୍ଷେତଟା

ଦୂରୁ ମନ ନିଏ କିଣି ।।


ସାଗୁଆ ପଣତେ ଘେରା ମୋର ଗାଁ

ଟିକିଲି ଟିକିଲି ଲାଗେ

ଶୀତ ସକାଳରେ ଧରଣୀ ରାଣୀ କି

ପିନ୍ଧୁଥାଏ ଅନୁରାଗେ ।

ନାନା କୁତୁହଳ ରଂଗେ ....

ଗହୀର ପାଟର ବିଲହୁଡା ପଥେ

ଯାଉଥାଏ ସାଙ୍ଗ ସଙ୍ଗେ ।।


ଆଜି ଏଇ ଶୀତ କିଆଁ ଛୁଏଁ ନାହିଁ

ମୋ ମନ ଅତଳ ଘର

ଆଜିର ସକାଳ ଲାଗେ ନାହିଁ ସେତେ

ଆପଣାର ଆପଣାର ।

ଛଳନାର ବାଲିଚର .....

ମମତା ବୋଳା ସେ ଅଧୀର ପରାଣ

କରେ ଆଜି ନମସ୍କାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍