ଶୀତ ରାତିର ଜହ୍ନ
ଶୀତ ରାତିର ଜହ୍ନ
ସାରାରାତି ଚେଇଁ
ଜୀବନ ଦୀପ ଜାଳି
ତମାମ୍ ଏକଲାପଣକୁ ଘିଅ କରି
ତୁମ ମୁହଁକୁ ଦେଖି ଦେଖି ଉଜାଗର ରହୁଥିବା
ମୁଁ ଏକ ଖଳା ମୁହଁର ନୂଆଁଧାନ ;
ତୁମ ଶୀତରାତିର ଜହ୍ନ ।
ଶୀତରାତିରେ
ତୁମ କବିତାର କବି ହୃଦୟରେ
ଝଲସି ଉଠୁଥିବା ମୁଁ '
ପ୍ରଣୟର ରହସ୍ୟ ;କାମନାର ମୋକ୍ଷ ।
ତଥାପି , ପଢାଯାଇପାରିବନି
ମୋ ଅସଲ ରୂପକୁ କେବଳ କବିତାରେ
ମୁଖା ତଳର ମୁଁ'କୁ କେବଳ ପ୍ରେମଗଳ୍ପରେ
ପ୍ରେମିକପଣକୁ ବିନା ପ୍ରେମରେ ।
କେବଳ ପ୍ରେମରେ ପ୍ରେମରେ
କ'ଣ ମିଳିପାରେ ଜୀବନର ସନ୍ଧାନ
ପଢାଯାଇପାରେ ଜୀବନର ଅସମାପ୍ତ ପାଠ
କିମ୍ବା ସୁଖ ମାପକାଠିରେ ମପାଯାଇପାରେ
ଜୀବନର ଶେଷତମ ବିରହକୁ ।
ତୁମେ ଦେଖିନଥିବ ମୁଁ କିନ୍ତୁ ଦେଖିଛି
ସୁଖ ପୁଷ୍କରିଣୀର ବିରାଟ ଦୁଃଖର ସାଗର
ଜୀବନର ଟପ ଟପ ବର୍ଷାରେ ଅଗ୍ନିର ଜ୍ବଳନ
ମାନବିକତା ଆଳର ହିଂସ୍ର ପଶୁତ୍ବର ଚରିତ୍ର
ଚାଦର ତଳର ମିଞ୍ଜି ମିଞ୍ଜି ଜହ୍ନମାନଙ୍କ ଅବସ୍ଥା
ଦପ ଦପ ଲିଭିଯାଉଥିବା ପକ୍ୱଲୋକଙ୍କ ଜୀବନ ସହ ଯୁଦ୍ଧ ।
ତୁମେ ଶୁଣିନଥିବ ମୁଁ କିନ୍ତୁ ଶୁଣିଛି
ଲିଭିଯାଉଥିବା କଢର ବୁକୁଫଟା କ୍ରନ୍ଦନ
ମରୁଡିରେ ଫସଲ ହରେଇଥିବା ଚାଷୀର ଶେଷଗୀତ
ଫୁଟିବା ଆଗରୁ ଝରିପଡୁଥିବା ତା ସଂସାରସଂଗୀତ ।
ସବୁବେଳେ ଖାଲି ପ୍ରେମ ଖୋଜିଲେ ବି ମିଳେନି
କେବେ ସେଥିରେ ବି ଲୁଚିଥାଏ ବୁକୁଫଟା ଚିତ୍କାର
ଆଉ ତାହା ହିଁ ପ୍ରେମ ମଧ୍ୟେ ଲୁଚିଥିବା
ମୋ ବାସ୍ତବତାର ପରିଚୟ
ଆଉ ମୋ ଜୀବନର ପ୍ରକୃତ ରହସ୍ୟ ।